କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାର ଅର୍ଥ ଏହା ଥିଲା କି, ଆମେ ଯଥା ସମ୍ଭବ ଆମେ ବ୍ୟବହାର କରୁଥିବା ସାମଗ୍ରୀ ନିଜ ଦେଶରେ ପ୍ରସ୍ତୁତ କରିବା । ବାହାର ଦେଶରୁ ଆମଦାନି କମ୍ କରିବା, ବାହାର ଦେଶ ଉପରେ କମ୍ ନିର୍ଭରଶୀଳ ହେବା ଓ ବାହାର ଦେଶକୁ ଦେଶ ରାଜକୋଷରୁ କମ୍ ଟଙ୍କା ଦେବା, ଏଭଳି କରିବା ଦ୍ୱାରା ଅନ୍ୟଦେଶମାନେ ଆମ ଉପରେ ମନଇଚ୍ଛା ଟ୍ୟାକ୍ସ ଲଗାଇପାରିବେ ନାହିଁ । ହେଲେ ସ୍ୱାଧୀନତାର ୭ ଦଶନ୍ଧି ପରେ ସ୍ୱଦେଶୀ ଆନ୍ଦୋଳନର ସ୍ଥିତି, ଦେଶର ସକଳ ଘରୋଇ ଉତ୍ପାଦର ପ୍ରତିଶତକୁ ଦେଖିଲେ ସ୍ୱଦେଶୀ ଆନ୍ଦୋଳନ ଯେ ଭାରତର ସରକାରଙ୍କ ପାଇଁ ଏକ ରାଜନୈତିକ ନାରା ଏହା ବୁଝିବାକୁ ବାକି ନାହିଁ ।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ସ୍ୱାଧୀନତା ଆନ୍ଦୋଳନ ବେଳେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନ କଥା ଆଜି କାହିଁକି ଖବରର ସିରୋନାମା ପାଲଟିଛି । ଏହାର ପ୍ରଥମ କାରଣ ହେଲା ଯେତେବେଳେ ପଡ଼ୋଶୀ ରାଷ୍ଟ୍ର ଆମେରିକା ଭାରତ ଉପରେ ଟାରିଫ୍ ବୋମା ପକାଇବାରେ ଲାଗିଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀରେ ସ୍ୱଦେଶୀ ଆନ୍ଦୋଳନକୁ ନେଇ ଭାଷଣ ଦେଉଛନ୍ତି । ଏଥିରେ ସେ ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ୱଦେଶୀ ଆନ୍ଦୋଳନ ପାଇଁ ସଂକଳ୍ପ ଦିଆକରାଉଛନ୍ତି ।
୨୦୧୫ ମସିହାରେ କେନ୍ଦ୍ର ସରକାର ସ୍ୱଦେଶୀ ଆନ୍ଦୋଳନକୁ ଆଗକୁ ନେବାକୁ ମେକ୍ ଇନ୍ ଇଣ୍ଡିଆ, ଷ୍ଟାଟଅପ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ, କୌଶଳ ବିକାଶ ନାମରେ ଅନେକ ଯୋଜନା ଘୋଷଣା କରିଥିଲେ । ଆଉ ଘୋଷଣା କରିଥିଲେ କି ୨୦୨୦ ସୁଦ୍ଧା ସକଳ ଉତ୍ପାଦରେ ସ୍ୱଦେଶୀର ଯୋଗଦାନ ୨୫ ପ୍ରତିଶତ ହେବ ।
ଏନେଇ ୨୦୧୪ ରେ ଶିଳ୍ପକୁ ନେଇ ଏକ ଜାତୀୟ କର୍ମଶାଳା ଆୟୋଜନ ହୋଇଥିଲା । ଏଥିରେ ୨୦୧୭ ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ଘରୋଇ ସକଳ ଉତ୍ପାଦରେ ମେନୁଫେକଚରିଂ ସେକ୍ଟରର ଯୋଗଦାନ ୨୫ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର ଏବେ ବି ବଳବତ୍ତର ରହିଛନ୍ତି । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି କି ୨୦୨୫ ସୁଦ୍ଧା ଘରୋଇ ଉତ୍ପାଦରେ ମେନୁଫେକଚରିଂ ସେକ୍ଟରର ଯୋଗଦାନ ୨୫ ପ୍ରତିଶତ ହେବ । ହେଲେ ବାସ୍ତବ ଚିତ୍ର କହୁଛି ୨୦୧୬-୧୭ ରେ ଏହାର ଯୋଗାଦାନ ୧୭ ପ୍ରତିଶତ, ୨୦୧୭-୧୮ ରେ ୧୭.୩ ପ୍ରତିଶତ ଥିଲା । ଅର୍ଥାତ ସଂକଳ୍ପର ୧୦ ବର୍ଷ ପରେ ମଧ୍ୟ ସ୍ୱଦେଶୀ ସଂକଳ୍ପ କେବଳ ନାରାରେ ରହିଯାଇଛି । କାରଣ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୪ ରେ ମଧ୍ୟ ଘରୋଇ ଉତ୍ପାଦରେ ମେନୁଫେକଚରିଂର ଯୋଗଦାନ ୧୮ ପ୍ରତିଶତ ଥିଲା । କେନ୍ଦ୍ର ସରକାର ସ୍ୱଦେଶୀ ଆନ୍ଦୋଳନର ସଂକଳ୍ପ ନେବାର ୧୦ ବର୍ଷ ପରେ ଏହାର ପ୍ରତିଶତ ବଢିବା ବଦଳରେ କମିବାରେ ଲାଗିଛି ।
ପଟେ କେନ୍ଦ୍ର ସରକାରଙ୍କ ସ୍ୱଦେଶୀ ଆନ୍ଦୋଳନର ବଡ଼ ଯୋଜନା ଥିଲା କୌଶଳ ବିକାଶ । ହେଲେ ଏହାର ସ୍ଥିତି ଏତେ ଦୁର୍ବଳ ଯେ ଏହି ରିପୋର୍ଟ ତାର ପ୍ରମାଣ । କୌଶଳ ବିକାଶ ଯୋଜନାରେ ଏପର୍ଯ୍ୟନ୍ତ ୧କୋଟି ୭୬ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧ କୋଟି ୬୩ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଶିକ୍ଷଣ ପରେ ୧ କୋଟି ୨୫ ଲକ୍ଷ ଲୋକଙ୍କୁ ପ୍ରମାଣପତ୍ର ଦିଆଯାଇଥିଲେ ବି ମାତ୍ର ୨୧ ଲକ୍ଷ ୮୪ ହଜାର ଅର୍ଥାତ ମୋଟ ପଞ୍ଜିକରଣର ୧୨.୪୦ ପ୍ରତିଶତ ଲୋକଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି ।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଏବେ ଆସେମ୍ପଲ ଇଣ୍ଡିଆରେ ପରିଣତ ହୋଇଛି । ଯାହାକୁ ନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ଏହାର ଅର୍ଥ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ବିଦେଶର ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଭାରତରେ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ । ହେଲେ ତାହା ଏବେ ଆସେମ୍ପଲ ଇଣ୍ଡିଆ ହୋଇଛି । ଅର୍ଥାତ ପ୍ରତ୍ୟକ ଜନିଷ ନିର୍ମାଣ କରିବାକୁ ବାହାରୁ ସମସ୍ତ ପାର୍ଟସ୍ ଆସୁଛି ଓ ଭାରତରେ କେବଳ ଏହାକୁ ଆସେମ୍ପଲ ବା ଏକାଠି କରି ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଯାହା କି ମେକ୍ ଇନ୍ ଇଣ୍ଡିଆର ମୂଳ ଢାଞ୍ଚା, ରଖାଯାଇଥିବା ସ୍ୱପ୍ନକୁ ସାକାର କରିବାରେ ବିଫଳ ହେଉଛି ।