କନକ ବ୍ୟୁରୋ : ତିରୁପତି ବାଲାଜୀ ମନ୍ଦିର ଲଡୁରେ ବ୍ୟବହୃତ ଘିଅକୁ ନେଇ ବିବାଦ ଉପୁଜିବା ପରେ ଏହାର ପ୍ରଭାବ ଓଡ଼ିଶାରେ ପଡିଛି । ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ଯେପରି ନ ଭାଙ୍ଗେ ସେଥିପାଇଁ ସରକାର ଆଗୁଆ ସତର୍କ ହୋଇଛନ୍ତି । ଆଉ ନିଷ୍ପତ୍ତି ନେଇଛନ୍ତି, ଆଗକୁ ଶ୍ରୀମନ୍ଦିର ଅବଢାର ହେବ ମାନ ପରୀକ୍ଷଣ । ମହାପ୍ରସାଦକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଯେପରି ପ୍ରଶ୍ନ ନ ଉଠେ ସେଥିପାଇଁ ସରକାର ତତ୍ପର ହୋଇ ଉଠିଛନ୍ତି ।
ମହାପ୍ରସାଦର ହେବ ମାନ ପରୀକ୍ଷଣ
- ମହାପ୍ରସାଦ ସହ ଘିଅ ଓ ଅନ୍ୟ ସାମଗ୍ରୀର ହେବ ମାନ ପରୀକ୍ଷଣ
- ରୋଷଶାଳାକୁ ଯିବା ପୂର୍ବରୁ ଓ ରୋଷଶାଳାରୁ ପ୍ରସାଦ ବାହାରିବା ପରେ ମାନ ପରୀକ୍ଷଣ
- ମାନ ପରୀକ୍ଷଣ କରିବେ ଫୁଡ୍ ଇନସପେକ୍ଟର
- ମହାପ୍ରସାଦର ଶୁଦ୍ଧତା ବଜାୟ ରଖିବା ସରକାରଙ୍କ ପ୍ରାଥମିକତା
ସରକାରଙ୍କ ନିଷ୍ପତ୍ତିକୁ ସେବାୟତ ମାନେ ସର୍ତ୍ତ ସହ ସ୍ୱାଗତ କରିଛନ୍ତି । ଅବଢାର ଶୁଦ୍ଧତା ବଜାୟ ରଖିବାକୁ ଯାଇ ମହାପ୍ରସାଦ ପ୍ରସ୍ତୁତି ପରେ ଏହାର ଯାଞ୍ଚ କରାନଯାଉ ବୋଲି କହିଛନ୍ତି ସେବାୟତ । ଅନ୍ୟପଟେ ଭକ୍ତ କହିଛନ୍ତି, ଅବଢ଼ା ପ୍ରସ୍ତୁତି ପୂର୍ବରୁ ଏଥିରେ ବ୍ୟବହୃତ ଉପାଦାନର ଯାଞ୍ଚ କରାଯାଉ ।
ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଦୀପରେ ବ୍ୟବହୃତ ଘିଅର ମାନ ପାଇଁ ପୂର୍ବରୁ ଦାବି ଉଠିଥିଲା । ତେଣୁ ଦେଶର ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରକୁ ନେଇ ଯେପରି ଅଭିଯୋଗ ନଆସେ ଏବଂ ମହାପ୍ରସାଦର ଶୁଦ୍ଧତା ଓ ଗୁଣବତ୍ତା ଯେପରି ବଜାୟ ରୁହେ, ତାହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ସରକାର ।