Photograph: (kanak news)
କନକ ବ୍ୟୁରୋ:ଯୁବପିଢିଙ୍କ ବିକ୍ଷୋଭ ପରେ ନେପାଳ ହେଉଛି ନିର୍ବାଚନ। ଗତ ବର୍ଷ ଜେନ୍ ଜେଡ୍-ନେତୃତ୍ୱାଧୀନ ବିରାଟ ଆନ୍ଦୋଳନ ଦ୍ୱାରା କେପି ଶର୍ମା ଓଲିଙ୍କ ସରକାର ପତନ ହେବାର କିଛି ମାସ ପରେ ନିର୍ବାଚନ ହେଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନେପାଳର ଜନତା ନିଜର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଓ ସରକାର ନିର୍ବାଚନ କରିବାକୁ ଭୋଟ୍ ଦେଉଛନ୍ତି। ଦୁର୍ନୀତି, ଚାକିରି ସୃଷ୍ଟିରୁ ଆରମ୍ଭ କରି ପଡ଼ୋଶୀ ଭାରତ ଓ ଚୀନ୍ ସହିତ ସମ୍ପର୍କ ପର୍ଯ୍ୟନ୍ତ ଏହି ନିର୍ବାଚନରେ ନେପାଳ ପାଇଁ ଅନେକ କିଛି ଦାବି ଅଛି।
ନେପାଲର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶିଳା କାର୍କି ସମସ୍ତ ନାଗରିକଙ୍କୁ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି। ସୁଶିଳା କହିଛନ୍ତି ଯେ ଏହି ଭୋଟ୍ ଦେଶର ସ୍ଥିରତା ଓ ସମୃଦ୍ଧି ନିର୍ଧାରଣ କରିବ। ସେ ଜନସାଧାରଣଙ୍କୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ନେପାଲର ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧିସଭାର ନିର୍ବାଚନ ହେଉଛି। ଭୋଟିଂ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୫ଟାରେ ଶେଷ ହେବ। ପ୍ରତିନିଧିସଭା ନିର୍ବାଚନରେ ୨୭୫ ସଦସ୍ୟଙ୍କ ମଧ୍ୟରୁ ୧୬୫ଜଣ ସିଧାସଳଖ ଭୋଟ୍ ଦ୍ୱାରା ନିର୍ବାଚିତ ହେବେ ଏବଂ ଅବଶିଷ୍ଟ ୧୧୦ଜଣ ଆନୁପାତିକ ଭୋଟିଂ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ ହେବେ।
ଆହୁରି ପଢ଼ନ୍ତୁ:ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଥରିଉଠୁଛି ତେହରାନ: ମୃତ୍ୟୁ ସଂଖ୍ୟା ଛୁଇଁଲା ହଜାରେ, ଆହତଙ୍କ ସଂଖ୍ୟା ଟପିଲା ୫ ହଜାର
ସମସ୍ତ ବାଲଟ୍ ବକ୍ସ ସଂଗ୍ରହ ପରେ ୨୪ ଘଣ୍ଟା ଭିତରେ ଫଲାଫଳ ଘୋଷଣା ହେବ। ନେପାଳର ୩ କୋଟି ଜନସଂଖ୍ୟାରୁ ପ୍ରାୟ ୨ କୋଟି ଲୋକ ଭୋଟ ଦେବେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧ କୋଟି ଭୋଟର ଗତ ବର୍ଷର ଜେନ୍ ଜେଡ୍ ଆନ୍ଦୋଳନ ପରେ ତାଲିକାରେ ଯୋଡ଼ାଯାଇଛନ୍ତି। ଦୁର୍ନୀତି, ଚାକିରି ସୃଷ୍ଟି, ଦାରିଦ୍ର୍ୟ ଓ ଯୁବ ବେକାରୀର ଉଚ୍ଚ ହାର ନେପାଲରେ ମୁଖ୍ୟ ମୁଦ୍ଦା ପାଲଟିଛି। ପ୍ରାୟ ୬୫ଟି ରାଜନୈତିକ ଦଳ ନେପାଲର ଶୀର୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ସେମାନେ ହେଲେ ରାପରୁ ରାଜନେତା ପାଲଟିଥିଲା ବାଲେନ୍ଦ୍ର ଶାହ (ବାଲେନ୍), ନେପାଲର ପୁରାତନତମ ଦଳ ନେପାଲି କଂଗ୍ରେସର ଯୁବ ନେତା ଗଗନ୍ ଥାପା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ।
Follow Us