କନକ ବ୍ୟୁରୋ : ମାଲକାନଗିରି ଜଳଚ୍ଛାୟା ପ୍ରକଳ୍ପରେ ଭିଜିଲାନ୍ସ ଚଢ଼ାଉ ପରେ ମହାଦୁର୍ନୀତିର ଗୁମର ଫିଟୁଛି। ମୁଖ୍ୟତଃ ମନରେଗାରେ ବନୀକରଣ, ପୋଖରୀ ଖନନ ନାଁରେ ଶହଶହ କୋଟି ଟଙ୍କାର କାମ ଚାଲିଥିଲା। ଶ୍ରମିକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅଧିକାଂଶ କାମ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ କରୁଥିଲେ । ଦେଖିବା କିଏ କଣ କରୁଥିଲେ ।
ବନୀକରଣ ପାଇଁ ସବୁଜ ଜାଲି ଓ ଚାରା ନିର୍ଦ୍ଦିଷ୍ଟ ଭେଣ୍ଡର ମାଧ୍ୟମରେ ଚଢ଼ାଦରରେ କିଣା ଯାଉଥିଲା । ଗଞ୍ଜାମ ଜଗନ୍ନାଥପ୍ରସାଦର ସିଏସସି ସେଣ୍ଟର ମାଲିକ ଅଲେଖ ପ୍ରଧାନଙ୍କ ମାଧ୍ୟମରେ ନଗଦ ଟଙ୍କା ଉଠାଣ କରି ସପ୍ଲାୟରଙ୍କୁ ଦେଇ ୪୧୪ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ମୋହନ ଚନ୍ଦ୍ର ମଣ୍ଡଳ, ସହକାରୀ କୃଷିଯନ୍ତ୍ରୀ- ନିଜେ ଠିକାଦାର କାମ କରିବା ସହ ସମ୍ପର୍କୀୟଙ୍କ ନାଁରେ ଭେଣ୍ଡର କୋଡ୍ ଖୋଲି ଅର୍ଥ ଉପାର୍ଜନ କରୁଥିଲେ ।
ଅମିୟକାନ୍ତ ସାହୁ - ଅସ୍ଥାୟୀ କର୍ମଚାରୀ ଭାବେ ନିୟୋଜିତ ଥାଇ ମନରେଗା କାମ ଜେସିବି ଲଗାଇ କରୁଥିଲେ । ସମ୍ପର୍କୀୟଙ୍କ ନାଁରେ ଜେସିବି ଲଗାଇ ଠିକା କାମ କରୁଥିଲେ ଓ ମନରେଗାରେ ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଥିଲେ ।
ବିଶ୍ୱଜିତ ମଣ୍ଡଳ. କୃଷି ସମ୍ପ୍ରସାରଣ ସଂଯୋଜକ ଭାବେ ନିୟୋଜିତ ହୋଇ ହିତାଧିକାରୀଙ୍କ ନାଁରେ ଆସୁଥିବା ଟଙ୍କା ଆତ୍ମସାତ କରୁଥିଲେ । କାରସାଦି ଜଣାପଡ଼ିବା ପରେ ମାଲକାନଗିରିରେ ଉଦବେଗ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ମାଲକାନଗିରିରେ ପିଏମ୍ କିଷାନ ସିଞ୍ଚାଇ, ମନରେଗା, ରେନଫେଡ୍ ଡେଭଲପମେଣ୍ଟ, ଆଗ୍ରୋ ଫରେଷ୍ଟ୍ରି ପରି ୪ଟି ଯୋଜନାରେ ବର୍ଷକୁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ । ଗତ ତିନି ବର୍ଷରେ କେବଳ ମନରେଗାରେ ୩୪୬୧ଟି ଫାର୍ମ ପୋଖରୀ ବାବଦକୁ ୫୧ କୋଟି ୯୧ ଲକ୍ଷ ଟଙ୍କା ଅନୁଦାନ ଆସିଛି । ୫୬୨୦ ହେକ୍ଟର ଜମିରେ କାଜୁ ବୃକ୍ଷରୋପଣ ବାବଦକୁ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ର କହୁଛି। ଯାହା ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଅଲଗା ।...
ମାଲକାନଗିରି ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ନଗଦ ୨ କୋଟି ଟଙ୍କା ଓ ୫୦୦ ଗ୍ରାମ୍ ସୁନା ଜବତ ହୋଇଥିଲା। ଲକ୍ଷାଧିକ ଜମାଟଙ୍କା, ପ୍ଲଟ୍ ଓ ଫ୍ଲାଟ ଠାବ ପରେ ଶାନ୍ତନୁଙ୍କ ସମେତ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ. ଅମିୟକାନ୍ତ ସାହୁ ଓ ଅଲେଖ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଅମିୟକାନ୍ତ ସାହୁ ଓ ବିଶ୍ୱଜିତ ମଣ୍ଡଳଙ୍କୁ କାର୍ୟ୍ୟରୁ ବିହିଷ୍କାର କରିଛି ବିଭାଗ । ।