କନକ ବ୍ୟୁରୋ :  ଭୂତ ରାସନ କାର୍ଡ ନାଁରେ ହେଉ କି ଓଜନରେ ଠକି ଗରିବଙ୍କ ଚାଉଳ ଦୁର୍ନୀତିଖୋର ଲୁଟ୍ କରିବାର ଖବର ଆମେ ପ୍ରସାରଣ କରିଥିଲୁ । ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଚାଉଳ ଦୁର୍ନୀତିର ଚେର ଲମ୍ବି ଥିବା ସାମନାକୁ ଆସିଛି । 

Advertisment

ଚାଉଳ ଦୁର୍ନୀତିର ଚେର ଯେ କେତେ ବାଟ ଲମ୍ବିଛି ତାହା ଅନୁମାନ କରିବା କଷ୍ଟକର ହୋଇଛି। ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ସରକାର ଯେଉଁଠି ବି ଶସ୍ତାରେ ଚାଉଳ ଯୋଗାଇ ଦେଉଛନ୍ତି, ସବୁଠି ବାଟମାରଣାର ଚିତ୍ର ସାମନାକୁ ଆସିବାରେ ଲାଗିଛି। ରାସନକାର୍ଡ ହିତାଧିକାରୀ ଙ୍କୁ  ହେଉ କି ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ, କି ଅଂଗନୱାଡି କେନ୍ଦ୍ର, ସବୁଠି ଦୁର୍ନୀତି ରହିଛି। ଚାଉଳ ବଂଟା ନାଁରେ କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି ଦାୟିତ୍ବରେ ଥିବା ବ୍ୟକ୍ତି । ଏସବୁ ସାମନାକୁ ଆସିବା ପରେ ଯୋଗାଣ ବିଭାଗ ପରେ ତନାଘନ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । 

ଯୋଗାଣ ବିଭାଗରେ ଚାଲିଥିବା ଦୁର୍ନୀତିର ଯାଂଚ ପାଇଁ ବିଭାଗୀୟ ମନ୍ତ୍ରୀ ମୟୂରଭଞ୍ଜରେ ଚଢ଼ାଉ କରିବା ସମୟରେ ପ୍ରଥମେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ସାମନାକୁ ଆସିଥିଲା। ମନ୍ତ୍ରୀ ଧରିବା ପରେ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଥିଲା। ଯେଉଁ ଅଧିକାରୀ ଦୁର୍ନୀତି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରାଯାଇଥିଲା। ତେବେ ବିଜେଡି କହିଛି, ସରକାରକୁ ଆସିଲା ପରେ ବିଜେପି କେବଳ ତଦନ୍ତର ଆଳ ନଦେଖାଇ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ। 

ମଧ୍ୟାହ୍ନ ଭୋଜନ ପାଇଁ ବର୍ଷକୁ କୋଟି କୋଟି ଟଙ୍କାର ଚାଉଳ ଦିଆଯାଉଥିବାର, ବାଟରେ କେତେ ଚାଉଳ ବାଟମାରଣା ହେଉଛି ? ତାହା ସାମନାକୁ ଆସିବା ଜରୁରୀ।