କନକ ବ୍ୟୁରୋ: ବିମାନ ପରେ ଏବେ ହୋଟେଲକୁ ବୋମା ଧମକ । ଗୁଜରାଟର ରାଜକୋଟରେ କିଛି ଫାଇଭ୍ ଷ୍ଟାର ହୋଟେଲ ସମେତ ମୋଟ୍ ୧୦ଟି ହୋଟେଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ୍ ଯୋଗେ ଏହି ଧମକ ମିଳିଛି । ଇମ୍ପେରିଆଲ ପ୍ୟାଲେସ୍, ସାୟାଜି ହୋଟେଲ୍, ସିଜନ୍ସ ହୋଟେଲ ଏବଂ ଗ୍ରାଣ୍ଡ୍ ରିଜେନ୍ସି ହୋଟେଲକୁ ଟାର୍ଗେଟ୍ କରାଯାଇଛି । ରାଜକୋଟ ପୁଲିସ ଏହି ଘଟଣାରେ ତଦନ୍ତ କରୁଛି ।
ଟାର୍ଗେଟ୍ କରାଯାଇଥିବା ହୋଟେଲ ଗୁଡ଼ିକରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଯାଇଛି । ଇମେଲ୍ ଦ୍ୱାରା ବୋମା ବିସ୍ଫୋରଣ ହେବା ନେଇ ଯେଉଁ ଧମକ ଦିଆଯାଇଛି ସେଥିରେ ଲେଖାଯାଇଛି, ମୁଁ ହୋଟେଲର ପ୍ରତି ସ୍ଥାନରେ ବୋମା ଖଞ୍ଜିଛି । କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ ଏବଂ ଅନେକ ନିରୀହଙ୍କ ଜୀବନ ଯିବ । ଖୁବଶୀଘ୍ର ହୋଟେଲ୍ ଖାଲି କର । ପାର୍ବଣ ଋତୁ ସମୟରେ ଏଭଳି ଧମକ ମିଳିଥିବାରୁ ହୋଟେଲ୍ରେ ରହୁଥିବା ଲୋକଙ୍କର ଚିନ୍ତା ବଢ଼ିଛି ।
ସେହିପରି ଆନ୍ଧ୍ରପ୍ରଦେଶର ତିରୁପତିରେ ମଧ୍ୟ ୩ଟି ପ୍ରମୁଖ ହୋଟେଲକୁ ବୋମା ଧମକ ମିଳିଛି । ଏହି ଧମକ ମିଳିବା ପରେ ପୁଲିସ ଏବଂ ସ୍ନାଇଫର ଡଗ୍ ହୋଟେଲରେ ସର୍ଚ୍ଚ ଅପରେସନ୍ କରିଥିଲେ । ତେବେ ଏହା ମିଥ୍ୟା ଧମକ ବୋଲି ପୋଲିସ ସ୍ପଷ୍ଟ ହୋଇଛି । ଗତ ୧୦ ଦିନ ମଧ୍ୟରେ ୨୫୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାବେଳେ ଏବେ ପୁଣି ହୋଟେଲକୁ ବୋମା ଧମକ ମିଳିଛି ।