କନକ ବ୍ୟୁରୋ : ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆସିବା ପରେ ନେତା ଓ ଜନତା ମଧ୍ୟରେ କିପରି ସମ୍ପର୍କ ବଢ଼ିବ, ନେତାମାନେ କେବଳ ରାଜଧାନୀରେ ଡେରା ନପକାଇ, ନିଜ ଅଞ୍ଚଳକୁ ଯାଇ ବାସ୍ତବ ସ୍ଥିତି ଦେଖିବେ ଓ ସୁଧାର ପାଇଁ କାମ କରିବେ, ତାରି ଉପରେ ଜୋର ଦେଇଆସିଛନ୍ତି। ଏହି କ୍ରମରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଏବେ ବାବୁମାନଙ୍କ ପାଳି।  ଗାଁକୁ ଯିବେ ବାବୁ। ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ୟ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ଉନ୍ନୟନ କମିଶନର। ଏହି ଅଫିସରମାନେ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାକୁ ଯାଇ ସ୍ଥିତି ଦେଖିବେ, ଆଉ ଏହାର ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଜଣାଇବେ।