କନକ ବ୍ୟୁରୋ : ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ରୋଶରେ ଦେଶ । ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡି ସ୍ବଦେଶ ଫେରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛି । ଏହା ପରେ ଭୁବନେଶ୍ବର ବିଜେବି ନଗରରେ ରହୁଥିବା ପାକିସ୍ତାନୀ ନାଗରିକ ନଗମା ୟୁସୁଫ ଭୁବନେଶ୍ୱର ଛାଡିଛନ୍ତି ।
୨୦୦୮ରୁ ସେ ଭୁବନେଶ୍ବର ବାସିନ୍ଦା ମହମ୍ମଦ ନିଜାମ ଉଦ୍ଦିନଙ୍କୁ ବିବାହ କରି ଭୁବନେଶ୍ବରରେ ରହି ଆସୁଥିଲେ । ଭାରତରେ ବିବାହ କରିବା ପରେ ବି ଏଠାକାର ନାଗରିକତ୍ୱ ପାଇଁ ଆବେଦନ କରି ନଥିଲେ । ୨୦୨୪ ଡିସେମ୍ବରରେ ତାଙ୍କ ଭିସା ଅବଧି ଶେଷ ହୋଇଥିବା ବେଳେ ସେ ଦୀର୍ଘମିଆଦି ପାଇଁ ଆବେଦନ କରିଥିଲେ । କିନ୍ତୁ ପହେଲଗାଁଓ ଘଟଣା ପରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ ନୋଟିସ କରାଯାଇଥିବାରୁ ନଗମା ୟୁସୁଫଙ୍କୁ ଭାରତ ଛାଡିବାକୁ ପଡିଛି ।
ସେପଟେ ଭାରତ ଛାଡିବା ପାଇଁ ନୋଟିସ ପାଇବା ପରେ ବଲାଙ୍ଗୀରର ଶାରଦା କୁକ୍ରେଜାଙ୍କ ମୁଣ୍ଡରେ ଚଡକ ପଡିଛି । ପରିବାରଠୁ ଅଲଗା ହୋଇ ପାକିସ୍ତାନ ଯିବେନି ବୋଲି ଶାରଦା କୋହଭରା କଣ୍ଠରେ କହୁଛନ୍ତି । ଆଉ ଶାରଦାଙ୍କ ସପକ୍ଷରେ ବାହାରିଛନ୍ତି ସାହିପଡିଶା । ୧୯୮୯ ମସିହାରେ ବ୍ୟବସାୟୀ ମହେଶ କୁକ୍ରେଜାଙ୍କ ସହ ବାହାଘର ପରେ ବଲାଙ୍ଗୀର ଠିକାଦାରପଡାରେ ସେ ରହୁଛନ୍ତି ।
ସେପଟେ ଭାରତର ବୋହୂ ହୋଇଥିବା ପାକିସ୍ତାନୀ ଝିଅ ରେଜିଆ ସୁଲତାନାଙ୍କ ବି ଚିନ୍ତା ବଢିଛି । ପରିବାର ସହ ସେ ଏବେ ସୋରରେ ରହୁଛନ୍ତି । ୭୨ ବର୍ଷିୟା ରେଜିଆ ସୁଲତାନା ଭାରତ ଛାଡିବାକୁ ୨୫ ତାରିଖରେ ନିର୍ଦ୍ଦେଶ ନାମା ପାଇଛନ୍ତି । ରେଜିଆ ଭାରତରେ ରହୁଥିଲେ ବି ତାଙ୍କ ନାଗରିକତ୍ବ ପାକିସ୍ତାନରେ ଅଛି । ଆଜି ଏ ନେଇ ସୋରରେ ଥିବା ପରିବାର ଓ ନିକଟ ସମ୍ପର୍କୀୟଙ୍କ ସହ ଆଲୋଚନା ଜାରି ରଖିଛନ୍ତି ରେଜିଆ ।