କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀରେ ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମାଛ ମାର୍କେଟର ଶିଳାନ୍ୟାସ କରିଛନ୍ତି। ଏଥିଲାଗି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଭଳି ଏକ ରାଜ୍ୟରେ ବ୍ୟାପକ ଫସଲ ହାନି ପ୍ରତିବର୍ଷ ହୋଇଥାଏ । ବାତ୍ୟା, ବନ୍ୟା, ମରୁଡ଼ି, ଅଦିନିଆ ବର୍ଷା ଆଦି ପାଇଁ ରାଜ୍ୟର ଚାଷୀକୁଳକୁ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ପ୍ରଧାନମନ୍ତ୍ରୀ ଅନ୍ନଦାତା ଓ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ ତୁରନ୍ତ କ୍ଷତିପୂରଣ ସୁନିଶ୍ଚିତ କରିଛନ୍ତି ।
ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷଜମିର ଆକଳନ କରି ବିଭାଗ ପକ୍ଷରୁ କ୍ଷତିପୂରଣ ବାବଦରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରିଛୁ । ଯାହା ପୂର୍ବ ସରକାର କରିନଥିଲେ।
ଦେଶରେ ତୈଳବୀଜ, ଡାଲି ଜାତୀୟ ଫସଲ ଦିଗରେ ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଚାଲିଛୁ ଏବଂ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା କମେଇବା ପ୍ରୟାସ କରୁଛୁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓ ପରିଯୋଜନା କାର୍ଯ୍ୟକାରୀ କରୁଛୁ ।
ଆମ ସରକାର ଆସିବା ପରେ ୨୦୨୫-୨୬ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଛୁ। ସର୍ବାଧିକ ୩୭ ହଜାର ୮୦୦ କୋଟି ଟଙ୍କାର ସମୃଦ୍ଧ କୃଷକ ଯୋଜନା ହାତକୁ ନେଇଛୁ। ଗତବର୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ଚାଷୀ ରବି ଓ ଖରିଫ ଋତୁରେ ଳାଭାନ୍ବିତ ହୋଇଛନ୍ତି। ଏଥିପାଇଁ ଉତ୍ସାହିତ ହୋଇ ପଡ଼ିଆ ରହୁଥିବା ଚାଷଜମିରେ ଲୋକମାନେ ଚାଷ କରିଛନ୍ତି। ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆୟ ବୃଦ୍ଧି ଚେଷ୍ଟା କରାଯାଇଛି। ପାରିବାରିକ ବାର୍ଷିକ ଆୟ ୩୦ ହଜାରରୁ ୬୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି।
ଆମ ସରକାର ପ୍ରଚାର ସର୍ବସ୍ବ ନୁହଁନ୍ତି। ଏହି ଯୋଜନାର ସଫଳ ରୂପାୟନ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଆମ ରାଜ୍ୟ ଏକ ମତ୍ସ୍ୟ ବହୁଳ ରାଜ୍ୟ । କିନ୍ତୁ ଅନ୍ୟ ରାଜ୍ୟ ଉପରେ ମାଛ ପାଇଁ ନିର୍ଭରଶୀଳ ହେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଆମ ରାଜ୍ୟ ଉତ୍ପାଦନ ସହ ବିକ୍ରି କରିବ। ମାଛ ଚାଷ ପାଇଁ ପୋଖରୀର ଆବଶ୍ୟକତା ନାହିଁ ବରଂ ଘର ସାମନାରେ ବାୟୋ ଫ୍ଲକ ଟେକ୍ନୋଲୋଜିରେ ମତ୍ସ୍ୟ ଚାଷ କରାଯାଇପାରିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ପାଣ୍ଡରାର ୧୮ ନମ୍ବର ୱାର୍ଡଠାରେ ମାଛ ମାର୍କେଟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।୬ ଏକର ଜାଗାରେ ହେବ ମାଛ ମାର୍କେଟ। ୫୯ କୋଟି ୧୩ ଲକ୍ଷ ଟଙ୍କାର ବିନିଯୋଗରେ ଏହି ପ୍ରକଳ୍ପ ପାଇଁ ବଜେଟ ରହିଛି। କେନ୍ଦ୍ର ସରକାର ୩୦ କୋଟି ରାଜ୍ୟ ସରକାର ୨୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗ କରିବେ। ହୋଲସେଲ ଗୃହ, ବରଫ କାରଖାନା, ସୋଲାର ଏନର୍ଜି ପ୍ରଣାଳୀ,ବ୍ୟାବସାୟିକ ଗୃହ ରହିବ। ୧୪୩ଟି ଦୋକାନ ସହ ୨୦୦୦ ରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ଭାବେ ରୋଜଗାର ସୁନିଶ୍ଚିତ କରିବ ଏହି ମାଛ ମାର୍କେଟ। ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଏମସି ସହ ଚୁକ୍ତି ହୋଇଛି । ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସାରିବାର ଯୋଜନା ରହିଛି।
ଓଡ଼ିଶା ବଜେଟରେ ୩୭୮୦୦ କୋଟି ଟଙ୍କା କରିଛୁ ସମୃଦ୍ଧ କୃଷକ ଯୋଜନାରେ। ଇନ୍ପୁଟ୍ ସବସିଡି ପରେ ଚାଷୀଙ୍କ ଉତ୍ସାହ ବଢ଼ିଛି। ଖାଲି ପଡ଼ିଥିବା ପଡ଼ିଆ ରବି ଋତୁରେ ମଧ୍ୟ ଚାଷ ହେଲା।
ବିନା ପୋଖରୀରେ ମାଛ ଚାଷ ଚାଷୀ କରିପାରିବେ। ବାୟୋ ଫ୍ଲକ୍ ମାଧ୍ୟମରେ ମାଛ ଚାଷ ହୋଇ ପାରିବ। ୯୫.୪୭ ଏକର ଜାଗାରେ ଆକ୍ବା କଲଚର ହୀରାକୁଦରେ ହେଉଛି। ମାଛ ଚାଷ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି। କେନ୍ଦ୍ର ସରକାର ୬୦ ଏବଂ ରାଜ୍ୟ ସରକାର ୪୦ କୋଟି ଟଙ୍କା ବିନିଯୋଗ କରିବେ। ଏହା ହେବ ପୂର୍ବ ଭାରତର ପ୍ରଥମ ଆକ୍ବା କଲଚର ପାର୍କ। ୨୦୨୭ ଜାନୁଆରି ସୁଦ୍ଧା ଏହି ପ୍ରକଳ୍ପ ସାରିବା ଲକ୍ଷ ରଖା ଯାଇଛି। ପୂର୍ବ ଭାରତରେ ନୀଳ ବିପ୍ଳବ ଆଣିବ ଏହି ପ୍ରକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆଜି ଦୁଇଟି ପ୍ରଭାବଶାଳୀ ଯୋଜନା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳ ମିଶନ ଆରମ୍ଭ ହୋଇଛି । ଏହା ସହ ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ସମ୍ବଲପୁର ଆକ୍ବା ପାର୍କ ସମେତ ଭୁବନେଶ୍ୱର ପାଣ୍ଡରାଠାରେ ହେବାକୁ ଥିବା ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ କିନ୍ତୁ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟର ଚାଷୀ କ୍ଷତି ସହି ଆସୁଛନ୍ତି ।
କିନ୍ତୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି । ଆଜିର ଏହି ଦୁଇ ଯୋଜନା ଚାଷୀର ଆୟକୁ ଦ୍ବିଗୁଣିତ କରିବାରେ ଏକ ବିଶେଷ ଭୂମିକା ନେବ । ଦେଶର ଶହେ ଜିଲ୍ଲାରେ ପ୍ରଥମେ ଏହାକୁ ଟାର୍ଗେଟ କରାଯାଇଛି । କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା, ଚାରୋଟି ଜିଲ୍ଲାକୁ ପ୍ରାଥମିକ ସ୍ତରରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ କୃଷି ଉତ୍ପାଦନ ବୃଦ୍ଧି, ଜଳସେଚନ, ଫାର୍ମ ମେକାନାଇଜେସାନ, ଫସଲର ସଂରକ୍ଷଣ ପାଇଁ ଷ୍ଟୋରେଜ୍, ବଜାର ସହାୟତା, ଋଣ ଆଦି ସହାୟତା ଚାଷୀଙ୍କୁ ଯୋଗାଇ ଦିଆଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଆସନ୍ତା ୬ ବର୍ଷ ମଧରେ ବର୍ଷକୁ ୨୪ ହଜାର ହିସାବରେ ୧ଲକ୍ଷ ୪୪ ହଜାର କୋଟିର ଆର୍ଥିକ ବ୍ୟବସ୍ଥା ଏଥିରେ ଚାଷୀମାନଙ୍କ ପାଇଁ ଯୋଗାଇ ଦିଆଯିବ । ଏକ କୋଟି ୭୦ ଲକ୍ଷ କୃଷକ ଏଥିରେ ଉପକୃତ ହେବେ । ଏହି ଯୋଜନା ଗୁଡିକ ଚାଷୀଙ୍କ ପାଖରେ ପହଞ୍ଚିବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବ । ଆମେ ଅନେକ ସମୟରେ ଡାଲି ଅଭାବ ପାଇଁ ଆମଦାନି କରୁ। ସେଥିପାଇଁ ଆତ୍ମନିର୍ଭରଶୀଳ ହେବାକୁ କ୍ରପ ଡାଇଭରସିଫିକେସନ ମାଧ୍ୟମରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଡାଲି ଜାତୀୟ ଓ ତୈଳ ଜାତୀୟ ଶସ୍ୟ ଉତ୍ପାଦନ ସାଙ୍ଗକୁ ଆୟ ବଢିବା ଲକ୍ଷ୍ୟ ରଖାଯାଇଛି ।
ଆଜି ସମ୍ବଲପୁରର ବସନ୍ତପୁର ଠାରେ ଶହେ କୋଟି ଟଙ୍କାର ଏକ ସମନ୍ବିତ ଆକ୍ବା ପାର୍କ ଓ ଭୁବନେଶ୍ୱର ପାଣ୍ଡରାଠାରେ ୬୦ କୋଟି ଟଙ୍କାର ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଏକ ବୃହତ ଭାଲ୍ୟୁ ଚେନ ସୃଷ୍ଟି କରିବ । ସବୁବେଳେ ଚାଷୀଙ୍କ ପାଇଁ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟ ରଖି ଯୋଜନା କରିଛନ୍ତି। ଚାଷୀ ପରିବାର ଆୟରେ ଆର୍ଥିକ ସୁଧାର ଆସିଛି ପୂର୍ବରୁ ୩୦ ହଜାର ପାଉଥିବା ଚାଷୀ ପରିବାର ବର୍ତ୍ତମାନ ୬୦ ହଜାର ପାଉଛି।