କନକ ବ୍ୟୁରୋ : ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ । ବିଜେବି ନଗର ଅଞ୍ଚଳରେ ରହୁଥିଲେ ୟୁସୁଫ । କେନ୍ଦ୍ରର ଲିଭ ଇଣ୍ଡିଆ ନୋଟିସ ପରେ ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା। ଏହି ଆଧାରରେ ସେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ମଧ୍ୟରେ ଭୁବନେଶ୍ୱର ସ୍ଥିତ ଘର ଛାଡ଼ି ପାକିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି । ୨୦୦୮ରୁ ସେ ଭୁବନେଶ୍ବରର ମହମ୍ମଦ ନିଜାମ ଉଦିନଙ୍କୁ ବିବାହ କରି ଏଠାରେ ରହି ଆସୁଥିଲେ କ୍ଷ ଭାରତରେ ବିବାହ କରିବା ପରେ ବି ଏଠାକାର ନାଗରିକତ୍ୱ ପାଇଁ ଆବେଦନ କରି ନଥିଲେ। ୨୦୨୪ ଡିସେମ୍ବରରେ ତାଙ୍କ ଭିସା ଅବଧି ଶେଷ ହୋଇଥିଲା। ସେ ଦୀର୍ଘମିଆଦି ପାଇଁ ଆବେଦନ କରିଥିଲେ। କିନ୍ତୁ ପହେଲଗାଁଓ ଘଟଣା ପରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ ନୋଟିସ କରାଯାଇଥିବାରୁ ନଗମା ୟୁସୁଫଙ୍କୁ ଭାରତ ଛାଡିବାକୁ ପଡିଛି ।

Advertisment

ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ବିଦା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏସବୁ ଭିତରେ ୬୦ ବର୍ଷର ରେଜିଆ ସୁଲତାନାଙ୍କ ବିଷୟ ଚର୍ଚ୍ଚାର କାରଣ ପାଲଟିଛି । ତାଙ୍କୁ ବି ଦେଶଛାଡ଼ିବାକୁ ନୋଟିସ୍ ମିଳିଛି । ଏବେ କ’ଣ କରିବେ ସେହି ଚିନ୍ତାରେ ରେଜିଆ ସୁଲତାନା । ବାଲେଶ୍ୱର ଜିଲ୍ଲା ସୋରରେ ରହନ୍ତି ରେଜିଆ। ରେଜିଆଙ୍କ ବାପା ହାଇଦରଙ୍କର ଘର କଲିକତା ହୋଇଥିବା ବେଳେ ସେ ସୋରରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପରେ ତାଙ୍କ ପରିବାର ନେଇ ବାଂଲାଦେଶ ଓ ପରେ ପାକିସ୍ତାନ ପଳାଇଥିଲେ । ସେଠାରେ ୫ ବର୍ଷ ରହିବା ସହିତ ପାକିସ୍ତାନୀ ନାଗରିକତ୍ଵ ଗ୍ରହଣ କରିଥିଲେ । ସେଠାରେ ତାଙ୍କର ଦୁଇ ଝିଅ ଜନ୍ମ ହୋଇଥିଲେ । ପରେ ନିଜ ଶଶୁର ଘର ସୋରକୁ ଆସିଥିଲେ। ସେତେବେଳେ ହାଇଦରଙ୍କ ସାନ ଝିଅ ରେଜିଆ ସୁଲତାନା ୧୬ ବର୍ଷ ବୟସରେ ସୋର ଅଂଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ସୋରରେ ହିଁ ରହିଥିଲେ । ହେଲେ ରେଜିଆଙ୍କ ମା ବାପା ଓ ବଡ ଭଉଣୀ ପାକିସ୍ତାନ ଫେରିଯାଇଥିଲେ। ଏବେ ରେଜିଆଙ୍କର ବୟସ ୬୦ ପାର ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିବାହ କରିସାରିଲେଣି। ଏବେ ସରକାରଙ୍କ ତରଫରୁ ଭାରତ ଛାଡିବାକୁ ନୋଟିସ ପାଇବା ପରେ ଚିନ୍ତାରେ ସମଗ୍ର ପରିବାର। ରେଜିଆଙ୍କ ଦାବି, ସେ ଭାରତର ନାଗରିକ, ତାଙ୍କ ପାଖରେ ଏନେଇ ବିଭିନ୍ନ ପ୍ରମାଣପତ୍ର ରହିଛି। ତେଣୁ ପାକିସ୍ତାନ କାହିଁକି ଯିବେ, ଆଉ ତାଙ୍କୁ ଏପରି ନୋଟିସ୍ କାହିଁକି ପଠାଯାଇଛି।