କନକ ବ୍ୟୁରୋ : ହରିୟାଣା ଓ ଜମ୍ମୁ କାଶ୍ମୀର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଅନ୍ୟାନ୍ୟ ଦଳ ଉତ୍ସାହିତ ହୋଇଛନ୍ତି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ କଂଗ୍ରେସ ସହିତ ଆସନ ଭାଗବଣ୍ଟାରେ ଏହି ଫଳାଫଳର ପ୍ରଭାବ ଦେଖିବାକୁ ମିଳିବ ।
ହରିୟାଣା ନିର୍ବାଚନ ଫଳାଫଳକୁ ଦେଖି ଏମଭିଏ ଅନ୍ତର୍ଗତ ଉଦ୍ଧବ ଗୋଷ୍ଠୀ ଶିବସେନା ଓ ଶରଦ ପାୱାରଙ୍କ ଏନସିପି କଂଗ୍ରେସ ବଡ଼ଭାଇ ପଣରୁ ଓହରି ଆସିବ ବୋଲି ଆଶା ରଖିଛନ୍ତି । ଖୁବଶୀଘ୍ର ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଧାନସଭାର ୨୮୮ ଆସନ ଭାଗବଣ୍ଟାକୁ ନେଇ ତିନି ଦଳ ମଧ୍ୟରେ ବେଶ କିଛି ଦିନ ହେବ ଟଣାଓଟରା ଜାରି ରହିଛି । ଲୋକସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୩ଟି ଆସନ ଜିତିଥିଲା, ତେଣୁ ଦଳ ଅଧିକ ବିଧାନସଭା ଆସନରେ ଲଢିବାକୁ ଚାହୁଁଛି । ଯାହାକୁ ମାନିବାକୁ ସହଯୋଗୀ ନାରାଜ । ଏପରି ସ୍ଥଳରେ ହରିୟାଣା ଫଳାଫଳ ପରେ ଚାପରେ ଥିବା କଂଗ୍ରେସ ନିଜ ଦାବିରୁ ଓହରିବ ବୋଲି ଅନ୍ୟ ଦୁଇ ଦଳ ଆଶା ରଖିଛନ୍ତି ।
ସମସ୍ତ ସର୍ଭେ ରିପୋର୍ଟ ଅନୁସାରେ ହରିୟାଣାରେ ୧୦ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବାର ସମ୍ଭାବନା ଥିଲା । ଏତଦ ବ୍ୟତୀତ ଚାଷୀ ଆନ୍ଦୋଳନ, ଅଗ୍ନିବୀର ସମସ୍ୟା ଓ କୁସ୍ତିଯୋଦ୍ଧାଙ୍କ ବିରୋଧ ଭଳି ସମସ୍ତ ଅନୁକୁଳ ସ୍ଥିତି ଥିଲେ ମଧ୍ୟ କଂଗ୍ରେସ ଏଥିରୁ ଫାଇଦା ଉଠାଇ ପାରିଲାନାହିଁ । ଦଳରେ ଗୋଷ୍ଠୀ ବିବାଦ ଓ ଅନ୍ୟ ଛୋଟଦଳ ବିଶେଷ କରି ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ହୋଇପାରିଲା ନାହିଁ । ଏବେ ଦେଖାଯାଇଛି ୨୦ରୁ ଅଧିକ ଆସନରେ କଂଗ୍ରେସ ବହୁମତ ବ୍ୟବଧାନରେ ପରାସ୍ତ ହୋଇଛି । ଯାହାକି ଆପ୍ ଭଳି ଛୋଟ ଦଳ ସହ ମିଶି ଲଢିଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା ।
ତେଣୁ ଝାଡ଼ଖଣ୍ଡ ସହ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଇଣ୍ଡି ମେଣ୍ଟର ଶିବସେନା, ଏନସିପି, ଜେଏମଏମ ଭଳି ଦଳ ସହ ଆସନ ଭାଗବଣ୍ଟାରେ କଂଗ୍ରେସ ଉଚିତ ନିଷ୍ପତି ନେବ ବୋଲି ଆଶା କରାଯାଉଛି ।