କନକ ବ୍ୟୁରୋ : ରାଜ୍ୟରେ ଅଭିନବ ଢଙ୍ଗରେ ଖଣିଜ ପଦାର୍ଥର ଲୁଟ ଚାଲିଛି । ଖଣିଜ ଚୋରିର ସତକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସାମ୍ନାରେ ରଖିବା ପରେ ଚର୍ଚ୍ଚା ବଢିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଖଣି ଅଂଚଳରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ଯୋଡା ଖଣି କ୍ଷେତ୍ରରେ ଲୁହାପଥରର ଦୁର୍ନୀତି ବେଶ ବାରି ହେଉଛି । ସାଧାରଣତଃ ଆଇବିଏମ୍ ଦୁଇଟି ମାନରେ ଖଣିଜ ପଦାର୍ଥର ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ୫୫ ପ୍ରତିଶତରୁ କମ୍ ଥିବା ଲୁହାପଥରକୁ ନିମ୍ନମାନର ଓ ୫୫ ପ୍ରତିଶତରୁ ଅଧିକ ଥିବା ଲୁହାପଥରକୁ ଉଚ୍ଚମାନର ବୋଲି ଧରାଯାଏ । ସେହି ଅନୁସାରେ ଦାମ୍ କମ୍ ବେଶୀ ହୋଇଥାଏ । କିନ୍ତୁ ବିଡମ୍ବନାର ବିଷୟ ଖଣି ନିଲାମଧାରୀ ଉଚ୍ଚ ମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ ମାଲାମାଲ ହେଉଛନ୍ତି । ଏପଟେ ବିପୁଳ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ସେହିପରି ସୁନ୍ଦରଗଡର କୋଇଡା ଖଣି କ୍ଷେତ୍ର ଅଂଚଳରେ ମଧ୍ୟ ଦିନ ଦିପ୍ରହରରେ ଚାଲିଛି ଖଣି ଦୁର୍ନୀତି ।
ପୂର୍ବରୁ ଖଣିଜ ଲୁଟ ନେଇ ବଡ଼ ଅଭିଯୋଗ ଆସିବା ପରେ ଶାହା କମିଶନ ଆସି ତଦନ୍ତ କରିଥିଲେ । ଶାହା କମିଶନଙ୍କ ତଦନ୍ତ ପରେ ଖଣି ଦୁର୍ନୀତିର ଗୁମର ଫିଟିଥିଲା। ତଥାପି ଖଣିଜ ଚୋରି କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ପ୍ରଶ୍ନ ଉଠୁଛି ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖଣିଜ ଲୁଟ୍ କରୁଛି କିଏ ? ସମ୍ପୃକ୍ତ ମାଫିଆଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? ସରକାରଙ୍କୁ କିଏ ଠକୁଛି ? ମାଫିଆଙ୍କୁ କିଏ ଘଣ୍ଟ ଘୋଡ଼ାଉଛି ।
ରାଜ୍ୟରେ ଖଣି ଓ ଖଣିଜ ଚୋରି ରୋକିବା ପାଇଁ କିଛି ଦିନ ତଳେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଓ ଖଣିବିଭାଗକୁ ତାଗିଦ୍ କରିଛନ୍ତି ରାଜ୍ୟର ମୁଖିଆ । ତେଣୁ ଖଣିଜ ଲୁଟ ଉପରେ କେବେ ରୋକ ଲାଗିବ, ମାଫିଆଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତା ଉପରେ ସମସ୍ତଙ୍କ ନଜର ।