କନକ ବ୍ୟୁରୋ: ଜିଏସ୍ଟି ସ୍ଲାବରେ ପରିବର୍ତ୍ତନ ପରେ ଓଡ଼ିଶାକୁ ମିଳିବ ବଡ଼ ଲାଭ । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି , କେନ୍ଦୁପତ୍ର ଉପରେ ଜଏସ୍ଟି ୧୮ରୁ ୫ ପ୍ରତିଶତ ହ୍ରାସ ପାଇଛି । ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସ୍ଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା ସହ କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ। ସେସ୍ କମିବା ଯୋଗୁ ଅଧିକ ଫାଇଦାରେ ରହିବ ଓଡ଼ିଶା । କେନ୍ଦ୍ର ସରକାର ଜିଏସ୍ଟି ସ୍ଲାବରେ ପରିବର୍ତ୍ତନ କରିଥିବାରୁ ରାଜ୍ୟର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇଦିଆଯାଇଛି । ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ଏହାଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ । ସେହିଭଳି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର ୨୨ ତାରିଖରୁ ଜିଏସଟି ନିର୍ଦ୍ଧାରିତ ଜିଏସଟି ଲାଗୁ ହେବ ।