କନକ ବ୍ୟୁରୋ: ଭୁବନେଶ୍ୱର ଇସ୍କନ କର୍ତ୍ତୁପକ୍ଷଙ୍କୁ ସମାଲୋଚନା କଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । କହିଲେ, ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ହୁଏ ବୋଲି ସାରା ଦୁନିଆ ଜାଣିଛି । ସେମାନେ ଆମେରିକା କ୍ୟାଲେଣ୍ଡର ବାହାନା କରନ୍ତୁନି । ଲଗାତାର ଅନେକ ବର୍ଷ ହେଲାଣି ଆମେ ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି ଆସିଛୁ । ଏମାନେ ଜିଦ୍ ଧରି ବସିଲେ ନୀତିନିୟମ ଭାଙ୍ଗିବାକୁ ତେଣୁ ଗଜପତି ମହାରାଜ କ୍ଷୁବ୍ଧ ହୋଇ ପ୍ରେସମିଟ୍ କରିଥିଲେ । ଶେଷରେ ହ୍ୟୁଷ୍ଟନ ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରାକୁ ବାତିଲ କରାଗଲା । ସେପଟେ ବାତିଲ ହେଲା ବୋଲି ଏମାନେ ମୁହଁ ଖୋଲିଲେ । ପ୍ରତ୍ୟେକ ବର୍ଷ ଏମାନେ ଯେଉଁ ପ୍ରହସନ କରୁଛନ୍ତି ତାହା ଠିକ୍ ନୁହେଁ । ପୁରୀ ରଥଯାତ୍ରା ଦେଖିକି ସାରା ବିଶ୍ୱରରେ ରଥଯାତ୍ରା ପାଳନ କରାଯାଏ ହେଲେ କିଛି ଏଭଳି ଅମାନିଆ ଲୋକେ ଅଛନ୍ତି ଯେଉଁମାନେ ମଝିରେ ଏମିତି ବିବାଦ ସୃଷ୍ଟି କରୁଛନ୍ତି । ସେହି ଅମାନିଆଙ୍କ ଭିତରେ ଆମ ଲୋକ କିଛି ସମ୍ପୃକ୍ତ ଅଛନ୍ତି ନହେଲେ ଗୋରା ଲୋକଙ୍କର ଏତେ ସାହାସ ହେବନି । 

Advertisment

ଇସ୍କନ କେବଳ କିଛି ଅର୍ଥ ପାଇଁ ଏମିତି ନୀତିନିୟମ ଭାଙ୍ଗୁଛି, ଆଉ ପ୍ରତିବର୍ଷ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଉଛି । ମୁଁ ଆହ୍ୱାନ ଦେଉଛି ଭବିଷ୍ୟତରେ ଯଦି ଏମିତି ପୁଣି ଇସ୍କନ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଏ ତାକୁ କେବଳ ପ୍ରବାସୀ ଓଡ଼ିଆ ନୁହେଁ ବରଂ ପ୍ରବାସୀ ଭାରତୀୟ ବିରୋଧ କରନ୍ତୁ । ଯିଏ ଏମିତି ଅଦିନିଆ ରଥଯାତ୍ରା କରିବାକୁ ଉସୁକାଉଛି ତାକୁ ଦୃଢ଼ ନିନ୍ଦା କରୁଛି ବୋଲି କନକ ନ୍ୟୁଜ ମାଧ୍ୟମରେ କହିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

ଖାଲି ଏତିକି ନୁହେଁ ବାଡ଼ଗ୍ରାହୀ କହିଛନ୍ତି, ଯଦି ଖ୍ରୀଷ୍ଟ ଧର୍ମାବଲମ୍ବୀ ଓ ମୁସଲମାନ ଭାଇ-ଭଉଣୀମାନେ ତାଙ୍କ ପର୍ବକୁ ସଠିକ୍ ତିଥିରେ ବିଶ୍ୱବ୍ୟାପୀ ପାଳନ କରୁଛନ୍ତି ତାହାହେଲେ ଆମେ କାହିଁକି ପାଳନ କରିବାନି? ଆମେ ଏତେ ଅମାନିଆ ହେବା କାହିଁକି? ସଭିଏଁ ନୀତିନିୟମ ପାଳିଲେ ତିଥିରେ ଜଗନ୍ନାଥଙ୍କ ଆଶୀର୍ବାଦ ଜଗତ ଉପରେ ରହିବ ।