କନକ ବ୍ୟୁରୋ : ଢୋଲ ବାଜାରେ ଦୁଲୁକିଲା କଂଗ୍ରେସ ଭବନ। ଦୀର୍ଘ ଦିନ ପରେ କଂଗ୍ରେସ ଭବନରେ ଲାଗିଲା ନେତା ଓ କର୍ମୀଙ୍କ ଗହଳି। ଏହାରି ଭିତରେ ନିଲମ୍ବିତ ହେଇଥିବା ନେତାଙ୍କ ଘର ବାହୁଡା ହେଉଛି। ଦୀର୍ଘ ନଅ ମାସର ଅପେକ୍ଷା ପରେ ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିଛନ୍ତି ସୁର ରାଉତରା। ନଵ ନିଯୁକ୍ତ ପିସିସି ସଭାପତି ଭକ୍ତ ଦାସଙ୍କ ସର୍ବକ୍ଷମା ଅନୁରୋଧ ପତ୍ର ଜରିଆରେ ଦଳକୁ ଫେରିଛନ୍ତି ସୁର। ବେକରେ ଫୁଲ ଗଜରା ପକେଇ ହାତରେ ଧୂପ, ନଡ଼ିଆ ଧରି ଦେହରେ କଂଗ୍ରେସର ଦଳୀୟ ପତାକା ପକାଇ ନଅ ମାସ ପରେ କଂଗ୍ରେସ ଭବନରେ ପହଁଚିଲେ ସୁର ରାଉତରାୟ। କଂଗ୍ରେସ ଭବନର ଦୁଆର ମୁହଁରେ ମୁଣ୍ଡିଆ ମାରି,ଧୂପ ଲଗାଇ, ନଡ଼ିଆ ବାଡେଇ କର୍ମୀଙ୍କ ଜୟ ଜୟ କାରରେ ଭାବବିହ୍ବଳ ହୋଇପଡିଥିଲେ ସୁର। ଆଉ ଭୋ ଭୋ କାନ୍ଦି କଂଗ୍ରେସ ଭବନ ଭିତରକୁ ପ୍ରବେଶ କରିଥିଲେ।
ଆସନ୍ତା ୧୮ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ ନୂଆ ପିସିସି ସଭାପତି ଭକ୍ତ ଦାସ, ନୂଆ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ କଂଗ୍ରେସର ଜୋରଦାର ପ୍ରସ୍ତୁତି। କଂଗ୍ରେସ ଭବନକୁ ନୂଆ ରଙ୍ଗରେ ସଜାଯାଉଛି, ସଭାପତିଙ୍କ ଚ୍ୟାମ୍ବରଠୁ ଆରମ୍ଭ କରି କଂଗ୍ରେସ ଭବନର ସବୁ କୋଠରୀକୁ ଚକା ଚକ କରାଯାଉଛି। ନୂଆ ଏସି, ଲାଇଟ, ଫ୍ୟାନ ଲାଗିବ, ନୂଆ ଚେୟାର, ଟେବୁଲ ପଡିବ, ଏକ ନୂଆ ରୂପରେ କଂଗ୍ରେସ ଭବନକୁ ଦେଖିବାକୁ ମିଳିବ।
ପିସିସି ସଭାପତି ଭକ୍ତ ଦାସ ଓଡିଶା ପହଂଚିବା ପରେ ଭୁବନେଶ୍ୱରରୁ ପୁରୀ ସଂକଳ୍ପ ଯାତ୍ରା କରିବେ। ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଓଡ଼ିଶା କଂଗ୍ରେସର ଦାୟିତ୍ୱ ଭାର ସମ୍ଭାଳିବେ। ଏହି ଯାତ୍ରା ଜରିଆରେ ନିଜର ଶକ୍ତି ପ୍ରଦଶନ କରିବେ ଭକ୍ତ। ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରୁ କର୍ମୀଙ୍କୁ ଏକାଠି କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି