କନକ ବ୍ୟୁରୋ : ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା । ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । ଫେର୍ଡୋ, ନତାଞ୍ଜ ଓ ଏସଫାହାନ୍ ପରମାଣୁ ଘାଟିକୁ ଟାର୍ଗେଟ୍ କରି ବୋମାମାଡ଼ ଆମେରିକା କରିଛି  । ତିନୋଟି ପରମାଣୁ ଘାଟିରେ ବି-୨ ବମ୍ବରରେ ବୋମାମାଡ଼ ହୋଇଛି । ଏଥିପାଇଁ ୬ଟି ବଙ୍କର ବଷ୍ଟର ବମ୍ ବ୍ୟବହାର କରିଛି ଆମେରିକା । ଭାରତୀୟ ସମୟ ଭୋର ୪ଟା ୩୦ରେ ଆକ୍ରମଣ ହୋଇଛି । ଆକ୍ରମଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଆମେରିକା ସେନା ବଡ଼ ଆକ୍ରମଣ କରିଛି । ଇରାନର ପରମାଣୁ ଘାଟିକୁ ଧ୍ବଂସ କରିଛୁ । ଏବେ ଇରାନକୁ ଶାନ୍ତିର ରାସ୍ତାରେ ଆସିବାକୁ ହେବ । ଇରାନକୁ ଯୁଦ୍ଧ ଶେଷ କରିବାକୁ ପଡ଼ିବ । ଆମେ ଶାନ୍ତି ଚାହୁଁ ସଂଘର୍ଷ ନୁହଁ । ଯୁଦ୍ଧ ବନ୍ଦ ପାଇଁ ଚେଷ୍ଟା କରିଥିଲୁ । ହେଲେ ଶେଷରେ ଆକ୍ରମଣ କରିବାକୁ ପଡ଼ିଲା । କୌଣସି ସେନା ଏପରି କରିପାରିବେ ନାହିଁ । ଇରାନ୍ ଯୁଦ୍ଧ ବନ୍ଦ ନକଲେ ପୁଣି ଥରେ ଆକ୍ରମଣ କରିବୁ । ସବୁ ଯୁଦ୍ଧ ବିମାନ ସୁରକ୍ଷିତ ଭାବେ ଇରାନରୁ ଫେରିଥିବା ଆମେରିକା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

Advertisment

ଆମେରିକାର ଆକ୍ରମଣ ପରେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଟ୍ରମ୍ପଙ୍କ ଏପରି କାର୍ଯ୍ୟକୁ  ଇତିହାସ ପରିବର୍ତ୍ତନ କଲା ଭଳି ସାହାସିକ ପଦକ୍ଷେପ ବୋଲି କହିଛନ୍ତି । ଶକ୍ତି ମାଧ୍ୟମରେ ଶାନ୍ତି ଆସିଥାଏ । ପ୍ରଥମେ ଶକ୍ତି ଦେଖାଇବାକୁ ପଡେ । ଏହା ପରେ ଶାନ୍ତି ଆସିଥାଏ ବୋଲି ନେତାନ୍ୟାହୁ କହିଛନ୍ତି । ଯୁଦ୍ଧର ଦଶମ ଦିନରେ ଇସ୍ରାଏଲ ସପକ୍ଷରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଅଶଙ୍କା ଦେଖାଦେଇଛି । ଜୁନ୍ ୧୩ରେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ସେବେଠାରୁ ଉଭୟ ଦେଶ ପରସ୍ପର ଉପରେ ଘନ ଘନ ଆକ୍ରମଣ କରୁଛନ୍ତି । ଇସ୍ରାଏଲ ଆକ୍ରମଣରେ ଇରାନରେ ପ୍ରାୟ ୫ ଶହ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାଭିତରେ ଇରାନର ବରିଷ୍ଠ ସେନାଧିକାରୀ, ପରମାଣୁ ବୈଜ୍ଞାନିକ ଅଛନ୍ତି । ସେପଟେ ଇସ୍ରାଏଲ  ଉପର ଇରାନ ଘନ ଘନ ଡ୍ରୋନ୍ ଓ ମିସାଇଲ ମାଡ଼ କରୁଛି । ଫଳରେ ଇସ୍ରାଏଲରେ ମଧ୍ୟ କ୍ଷୟକ୍ଷତି ହୋଇଛି ।