କନକ ବ୍ୟୁରୋ: ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଓଡ଼ିଶା ସୀମାନ୍ତରେ ପଡ଼ିଶାର ଦାଦାଗିରି। ଗଙ୍ଗବାଡ଼ି ପଞ୍ଚାୟତରେ ପଶି ଅମାରିଙ୍ଗି ଗାଁରେ ହୋଇଥିବା କୋଠାଘର ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ନିଜର ଦର୍ଶାଇ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ପ୍ରଶାସନ । ଯଦି ଉଚ୍ଛେଦ ଚାହୁନ ତେବେ ଆନ୍ଧ୍ରର ମିଶିଯାଅ, ଜମିପଟ୍ଟା ସହ ସମସ୍ତ ସୁବିଧା ମିଳିବ । ନହେଲେ ସବୁ ଭଙ୍ଗାଯିବ । ଏମିତି କହି ଧମକ ଚମକ ଦେଇଛି ପଡ଼ୋଶୀ ପ୍ରଶାସନ ।
ଖାଲି ଅମାରିଙ୍ଗି ନୁହେଁ, ମାଣିକ ପାଟଣା ଓ ବୁରୁସିଙ୍ଗି ଗାଁ ଉପରେ ହକ୍ ଜାହିର କରିଛି ଆନ୍ଧ୍ର। ଏ ଖବର ପାଇବା ପରେ ଗଜପତି ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଡିପିଓଙ୍କ ସମେତ ଅନ୍ୟ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏସବୁ ଗାଁ ଓଡ଼ିଶାରେ ଅଛି । ଏନେଇ ଦୁଇ ରାଜ୍ୟର ମିଳିତ ବୁଝାମଣାରେ ମ୍ୟାପ୍ ବି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ଅନ୍ୟପଟେ ଆନ୍ତଃରାଜ୍ୟ ସୀମା ବିବାଦ ପାଇଁ ଲୋକଙ୍କୁ ଜମିପଟ୍ଟା ମିଳିପାରୁନି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଛି ବୋଲି କହିଛନ୍ତି ସରପଞ୍ଚ। ସେପଟେ ଉପଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି ଜିଲ୍ଲାପାଳ । ଆଉ କେତେ ଏଭଳି ଘଟଣା ଘଟିବା ପରେ ସରକାରଙ୍କ ଚେତିବେ । ଏବଂ ବିବାଦର ସ୍ଥାୟୀ ସମାଧାନ ପଦକ୍ଷେପ ନେବେ ବୋଲି ପ୍ରଶ୍ନ କଲେଣି ସ୍ଥାନୀୟ ବାସିନ୍ଦା ।