କନକ ବ୍ୟୁରୋ : ମାଲିରେ ଆତଙ୍କବାଦୀ ଆକ୍ରମଣ ପରେ ୩ ଭାରତୀୟଙ୍କୁ ଅପହରଣ କରାଯାଇଛି । ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଜୁଲାଇ ୧ରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି । ଏହି ଘଟଣା ମାଲିର କାୟେସ୍ ଅଞ୍ଚଳରେ ଥିବା ଡାଇମଣ୍ଡ ସିମେଣ୍ଟ କାରଖାନାରେ ଘଟିଛି, ଯେଉଁଠାରେ ସଶସ୍ତ୍ର ଆତଙ୍କବାଦୀମାନେ ଏକ ଯୋଜନାବଦ୍ଧ ଆକ୍ରମଣ କରି ତିନି ଭାରତୀୟଙ୍କୁ ବନ୍ଦୀ କରିଛନ୍ତି । ଅପହରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ଅଲ-କାଏଦା ସହ ଜଡ଼ିତ ଜାମାତ ନୁସରତ ଆଲ-ଇସଲାମ ବା ଜେଏନଆଇଏମ ସଂଗଠନ ସେହି ଦିନ ମାଲିରେ ଏକାଧିକ ଆକ୍ରମଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନିନ୍ଦା କରି ମାଲି ସରକାରଙ୍କୁ ଅପହୃତ ଭାରତୀୟଙ୍କ ସୁରକ୍ଷିତ ଓ ଶୀଘ୍ର ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ମାଲିରେ ଡାଇମଣ୍ଡ ସିମେଣ୍ଟ କାରଖାନାରେ କାର୍ଯ୍ୟରତ ୩ ଭାରତୀୟଙ୍କୁ ଅପହରଣ
ଆତଙ୍କୀ ସଂଗଠନ ଅଲ୍-କାଏଦା ସହ ଜଡ଼ିତ
ବାମାକୋରେ ଥିବା ଭାରତୀୟ ଦୂତାବାସ ମାଲି ସରକାର ଓ ସିମେଣ୍ଟ କାରଖାନା ପରିଚାଳନା ସହ ଯୋଗାଯୋଗରେ ରହିଛି
ଏମଇଏ ମାଲିରେ ଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ଓ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି
ଆତଙ୍କବାଦୀ ମାଲିର ପଶ୍ଚିମ ଓ ମଧ୍ୟ ଅଞ୍ଚଳରେ ଏକାଧିକ ସାମରିକ ଓ ସରକାରୀ ସ୍ଥାନକୁ ଟାର୍ଗେଟ୍ କରିଛି
ମାଲିରେ ରହିଛି ଜେଏନଆଇଏମର ଦବଦବା
ନୁସରତ ଅଲ୍-ଇସଲାମ ୱାଲ-ମୁସଲିମିନ୍ ବା ଜେଏନ୍ଆଇଏମ୍ ୨୦୧୭ ମସିହାରେ ଅସ୍ତିତ୍ୱ ପାଇଥିଲା
ଜେଏନଆଇଏମ ମଧ୍ୟ ଏକ ମୌଳିକ ଇସଲାମିକ ସଂଗଠନ
ଯାହାର ଲକ୍ଷ୍ୟ ମୌଳିକ ଇସଲାମିକ ଶାସନର ମୂଳଦୁଆ ସ୍ଥାପନ କରିବା
ଇୟାଦ ଆଗ ଘାଲି ଏବଂ ଆମାଦୌ କୌଫା ଏହି ସଂଗଠନର ନେତୃତ୍ୱ ନିଅନ୍ତି
ଜେଏନଆଇଏମ୍ ନିଜକୁ ଅଲ୍-କାଏଦାର ପ୍ରତିନିଧି ଭାବରେ ପ୍ରତିଷ୍ଠିତ କରିଛି
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜେଏନଆଇଏମ ପାଖରେ ବର୍ତ୍ତମାନ ପ୍ରାୟ ୫ ହଜାରରୁ ୬ ହଜାର କର୍ମୀ ଅଛନ୍ତି । ଏହି ସଂଗଠନ ଫ୍ରାଞ୍ଚାଇଜ୍ ଶୈଳୀରେ କାର୍ଯ୍ୟ କରେ, ଅର୍ଥାତ୍ ବିଭିନ୍ନ ଅଞ୍ଚଳର ସ୍ଥାନୀୟ କମାଣ୍ଡରମାନେ ସ୍ୱାଧୀନ ଭାବରେ ନିଷ୍ପତ୍ତି ନିଅନ୍ତି । ଗତ ଦଶନ୍ଧି ଧରି, ସାହେଲ ମାଲି, ବୁର୍କିନା ଫାସୋ ଏବଂ ନାଇଜର ଆତଙ୍କବାଦୀଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି ।