କନକ ବ୍ୟୁରୋ : ବିହାରରେ ଏସଆଇଆରକୁ ନେଇ ନୂଆ ନୂଆ ଖୋଲାସା ହେଉଛି । ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ନିର୍ବାଚନ ଆୟୋଗ ତେଜସ୍ୱୀଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି । ଏହାକୁ ନେଇ ଏନଡିଏ ନେତାମାନେ ତେଜସ୍ୱୀଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ସିହ୍ନାଙ୍କ ନିକଟରେ ଦୁଇଟି ଭୋଟର ଆଇକାର୍ଡ ଥିବା କଂଗ୍ରେସ ଦାବି କରି ବିଜୟ ସିହ୍ନାଙ୍କ ଇସ୍ତଫା ମାଗିଛି । କେବଳ ଦାବି କରିନାହିଁ ବିଜୟ ସିହ୍ନାଙ୍କ ନାମରେ ଦୁଇଟି ଏପିକ୍ ନମ୍ବର ଥିବା ଦେଖାଇଛି କଂଗ୍ରେସ ।
କଂଗ୍ରେସ ଦାବି କରିଛି କି ବିଜୟ ସିହ୍ନାଙ୍କ ପାଖରେ ଲଖିସରାୟ ଓ ପାଟନାର ବାଙ୍କିପୁର ଠିକଣାରେ ଦୁଇଟି ଭୋଟର କାର୍ଡ ରହିଛି । କଂଗ୍ରେସ ଦାବି କରିଛି ବିଜୟ ସିହ୍ନା ଦୁଇଟି ସ୍ଥାନରେ ଏସଆଇଆର ଫର୍ମ ପୂରଣ କରିଛନ୍ତି । ତାଙ୍କ ନାମ ଦୁଇଟି ସ୍ଥାନରେ ମତଦାତା ସୂଚୀ ଡ୍ରାଫ୍ଟରେ ସାମିଲ ଅଛି । ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ ଜଣେ ମତଦାତା କେବଳ ଗୋଟିଏ ସ୍ଥାନରେ ଭୋଟ ଦେଇପାରିବେ ଓ ତାଙ୍କ ପାଖରେ କେବଳ ଗୋଟିଏ ଠିକଣାର ଭୋଟର ଆଇକାର୍ଡ ଓ ଗୋଟିଏ ଏପିକ୍ ନମ୍ବର ରହିବ । ବିଜୟ ସିହ୍ନ ଜନପ୍ରତିନିଧୀ ଅଧିନିୟମ ୧୯୫୧ ର ଧାରା ୧୭ ଓ ୧୮ କୁ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣି କଂଗ୍ରେସ ଇସ୍ତଫା ଦାବି କରିଛି ।
ଏଭଳି ମାମଲାକୁ ନେଇ କଂଗ୍ରେସ ଅଭିଯୋଗ କରିଛି କି, ନିର୍ବାଚନ ଆୟୋଗ ବିଜେପି ସହ ମିଶି ବିହାରରେ ଭୋଟ ଚୋରି କରିବାକୁ ପ୍ରୟାସ କରୁଛି । ତେଜସ୍ୱୀଙ୍କ ପାଖରେ ୨ ଟି ଏପିକ୍ ନମ୍ବର ଥିବା ଦର୍ଶାଇ ନିର୍ବାଚନ କମିସନ ତେଜସ୍ୱୀଙ୍କୁ ନୋଟିସ କରିଥିବା ବେଳେ ବିଜୟ ସିହ୍ନାଙ୍କ କ୍ଷେତ୍ରରେ ଅଣଦେଖା କରୁଛି ।