କନକ ବ୍ୟୁରୋ: ଆଶା କରାଯାଉଥିଲା ରୁଷ ସହ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ବଡ ଆଶ୍ବସ୍ତି ଆଣିବ ।ହୁଏତ ଯୁଦ୍ଧକୁ ରୋକାଯାଇପାରିବ କିନ୍ତୁ ସେମିତି କିଛି ହେବା ବଦଳରେ ବିବାଦ ଅଧିକ ତିକ୍ତ ହୋଇଛି, ସମସ୍ୟା ବଢ଼ିଛି । ବୈଠକରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା କମ ଯୁକ୍ତିତର୍କ ଅଧିକ ହେବା ପରେ ଏବେ ଏହା ସାରା ବିଶ୍ବରେ ଅନ୍ୟତମ ଚର୍ଚ୍ଚିତ ଘଟଣା ପାଲଟିଛି ।
ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ବସିଥିବା ବୈଠକ ଆରମ୍ଭରୁ ଶେଷ ପର୍ୟ୍ୟନ୍ତର ଏହି ୮ଟି ଚିତ୍ର ବଖାଣୁଛି ତିକ୍ତତାର କାହାଣୀ । ହ୍ବାଇଟ ହାଉସରେ ଜେଲେନସ୍କିଙ୍କୁ ସ୍ବାଗତଠୁ ନେଇ ଚାଲିଯିବା ପର୍ୟ୍ୟନ୍ତ ଆଠ ଚିତ୍ର ଅନେକ କଥା କହୁଛି । ଏବେ ପ୍ରଶ୍ନ ଉଠୁଛି ଯୁଦ୍ଧ ରୋକିବାକୁ ବୈଠକ ବସିଥିବାବେଳେ ଏମିତି କ’ଣ ଘଟିଲା କି ଯାହା ପାଇଁ ଉଭୟ ଟ୍ରମ୍ପ ଟ ଜେଲେନସ୍କି ମଧ୍ୟରେ ତୁ ତୁ ମେଁ ମେଁ ଘଟିଗଲା ।
ଅର୍ନ୍ତଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଟ୍ରମ୍ପ ବୈଠକ ଆରମ୍ଭରୁ ହିଁ ଜେଲେନସ୍କିଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣିଥିଲେ । ଯେଉଁ ପଦକ୍ଷେପ ଗ୍ରହଣ କରୁଛି ୟୁକ୍ରେନ ଏହା ଦ୍ବାରା ଯୁଦ୍ଧ ବନ୍ଦ ହେବନି ବଂର ତୃତୀୟ ବିଶ୍ବ ଯୁଦ୍ଧ ଆଶଙ୍କା ବଢ଼ୁଥିବା କହିଥିଲେ ଟ୍ରମ୍ପ । ଯାହାକୁ ଶୁଣି ଜେଲେନସ୍କି ରାଗିବା ସହ ଉଭୟଙ୍କ ମଧ୍ୟରେ ବାକୁଯୁଦ୍ଧ ହୋଇଛି । କେବଳ ସେତିକି ନୁହେଁ ଉପରାଷ୍ଟ୍ରପତି ଭାନସଙ୍କୁ ଉଭୟଙ୍କ ମଧ୍ୟରେ ହସ୍ତକ୍ଷେପ କରିବାକୁ ମଧ୍ୟ ପଡିଥିଲା ।
ସୂଚନା ଅନୁସାରେ ଜେଲେନସ୍କିଙ୍କ ପୋଷାକ ଉପରେ ମଧ୍ୟ ହ୍ବାଇଟହାଉସ ସାମ୍ବାଦିକ ପ୍ରଶ୍ନ ଉଠାଇଥିଲେ ଜଣେ ରାଷ୍ଟ୍ରନେତା ହୋଇଥିବାରୁ ସୁଟବୁଟ ବଦଳରେ କାହିଁକି ସାଧାସିଧା ପୋଷାକରେ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେପଟେ ଟ୍ରମ୍ପ ଓ ଜେଲେନସ୍କିଙ୍କ ବିବାଦକୁ ନେଇ ଦୁଇ ଭାଗ ହେବା ଉପରେ ୟୁରୋପ । ତେବେ ଆମେରିକା ଓ ୟୁକ୍ରେନ ବୈଠକ ପରେ ନିଜ ନିଜର ପ୍ରେସ ବିବୃତି ଜାରି କରିଛନ୍ତି । ଆମେରିକା ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି ଓ ଜେଲେନସ୍କି ଶାନ୍ତି ଚାହିଁଲେ ପୁଣି ବୈଠକ ବସିବ ବୋଲି କହିଛନ୍ତି ।ସେପଟେ ୟୁକ୍ରେନ ନିଜ ଜିଦରେ ଅଟଳ ରହିଛି ଯୁଦ୍ଧ ବନ୍ଦ ନହେବା ପର୍ୟ୍ୟନ୍ତ କୌଣସି ଶାନ୍ତି ଆଲୋଚନାରେ ସାମିଲ ହେବେନି ବୋଲି ଜେଲେନସ୍କି ସ୍ପଷ୍ଟ କରିଛନ୍ତି ।