କନକ ବ୍ୟୁରୋ: ସୁନ୍ଦରଗଡ଼ରେ କୋଇଲା ଚୋରି ପରେ ଝାରସୁଗୁଡ଼ାରେ ଖୋଳତାଡ଼ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ୪ ଜଣିଆ ଟିମ୍ ଝାରସୁଗୁଡ଼ାର ତାପଜ ବିଦ୍ୟୁତ କେନ୍ଦ୍ର ଓ କୋଲ ୱାସେରିରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଝାରସୁଗୁଡ଼ା ଏସ.ଏମ.ସି କାରଖାନାର ୨ଟି ୟୁନିଟରେ ଯାଞ୍ଚ କରିବା ସହିତ କୋଇଲା ଖଣି ବୁଲି ଷ୍ଟକ୍ ବିଷୟରେ ପଚାରି ବୁଝିଛି ଟିମ୍ । 

Advertisment

ସୁନ୍ଦରଗଡ଼ରେ କୋଇଲା ଚୋରି ନେଇ ଧରପଗଡ଼ ପରେ ଝାରସୁଗୁଡ଼ାରେ ଖୋଳତାଡ଼ ଆରମ୍ଭ କରିଛି ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ୪ ଜଣିଆ ଟିମ୍ ଆଜି ଝାରସୁଗୁଡ଼ାର ହିର୍ମା ଓ ବଡ଼ମାଲ ସ୍ଥିତ ଝଗଉ କାରଖାନାରେ ପହଞ୍ଚି କୋଇଲାର ସ୍ଥିତି ସମ୍ପର୍କରେ ଯାଞ୍ଚ କରିଛନ୍ତି । ଏହି ଟିମ୍‌ରେ ଅଛନ୍ତି ଜିଲ୍ଲା ଖଣି ଅଧିକାରୀ, ତହସିଲଦାର, ଜିଲ୍ଲା ପ୍ରଦୂଷଣ ଅଧିକାରୀ ଓ ସ୍ଥାନୀୟ ଥାନା ଆଇଆଇସି । କେତେ ଟନ୍ କୋଇଲା ଗଚ୍ଛିତ ରହିଛି ସେ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିଛନ୍ତି । ତେବେ ଆଜି ଛୁଟି ଥିବାରୁ ଠିକ୍ ଭାବରେ ଯାଞ୍ଚ ହୋଇପାରିନି । ଆଗକୁ ଏହାକୁ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ଖଣି ଅଧିକାରୀ । 

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ଲଖନପୁର ଅଞ୍ଚଳରେ ଥିବା ଗ୍ଲୋବାଲ କୋଲ ୱାସେରି, ଇଏମସିଏଲ କୋଲ ୱାସେରି ଏବଂ ଏଆଇପିଏଲ୍ କୋଲ ୱାସେରିରେ ଟିମ୍ ପହଞ୍ଚି ତଦନ୍ତ କରିଛି । କେଉଁଠୁ କେତେ କୋଇଲା ଆମଦାନୀ ହୋଇଛି? କେଉଁଠିକୁ ରପ୍ତାନୀ ହେଉଛି? ଏବଂ ବର୍ତ୍ତମାନ କେତେ ଷ୍ଟକ୍ ଉପଲବ୍ଧ ଅଛି?, ତାର ଯାଂଚ କରିଛି ଟିମ୍ । ସେହିପରି ବନ୍ଦ ପଡିଥିବା ଗ୍ଲୋବାଲ୍ କୋଲ ୱାସେରିରେ ମଧ୍ୟ ତଦନ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଖଣି ଅଧିକାରୀ । ଆଗାମୀ ଦିନରେ ଝାରସୁଗୁଡ଼ା ଜିଲ୍ଲାରେ ଥିବା ସମସ୍ତ ଛୋଟ ତାପଜ ବିଦ୍ୟୁତ କେନ୍ଦ୍ରରେ ମଧ୍ୟ କୋଇଲା ଷ୍ଟକ୍ ଯାଂଚ କରାଯିବ । 

ସୁନ୍ଦରଗଡ଼ରୁ ଚୋରା କୋଇଲା ଝାରସୁଗୁଡ଼ା ଆସିଛି କି? ଯଦି ଆସିଛି ତେବେ କେଉଁ ସ୍ଥାନକୁ ଆସିଛି? ସେ ନେଇ ମଧ୍ୟ ତଦନ୍ତ କରିବ ୪ ଜଣିଆ ଟିମ୍‌।