Home Guard Recruitment Scam Photograph: (Kanak News)
କନକ ବ୍ୟୁରୋ : ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀକୁ ନେଇ ଚର୍ଚ୍ଚା ନଥମୁଣୁ, ଗୃହରକ୍ଷୀ ନିଯୁକ୍ତିରେ ଆସିଲାଣି ଅନିୟମିତତା ଅଭିଯୋଗ । ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ନ ହୋଇ ବି, ଶତାଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ଗୃହରକ୍ଷୀ ପଦବୀ ପାଇଁ ହଜାର ହଜାର ପିଲାଙ୍କ ଆବେଦନ, ଗୋଟିଏ ପଟେ ଉତ୍କଟ ବେକାରୀ ସମସ୍ୟା ଓ ସରକାରୀ ଚାକିରି ପ୍ରତି ଦୁର୍ବଳତା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଅନ୍ୟପଟେ ଗୃହରକ୍ଷୀ ନିଯୁକ୍ତିରେ ବି ଅନିୟମିତତା ଅଭିଯୋଗ, ପୂରା ବ୍ୟବସ୍ଥାକୁ ସନ୍ଦେହ ଘେରକୁ ଠେଲି ଦେଇଛି ।
ଅଧିକ ପଢ଼ନ୍ତୁ : ଶିକ୍ଷକ ନିଯୁକ୍ତି ଦାବିରେ ତାତିଲେ, ପ୍ରଧାନ ଶିକ୍ଷକ ଓ ସିଆର୍ସିସିଙ୍କୁ ଶ୍ରେଣୀଗୃହରେ ତାଲା ପକାଇଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଭିଡ଼ । ଗତବର୍ଷ ଫେବୃଆରୀ ୧୯ରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ୨୦୧ ଗୃହରକ୍ଷୀ ପଦବୀ ପାଇଁ ଆବେଦନ କରିଥିଲେ ପ୍ରାୟ ୯ ହଜାର ଆଶାୟୀ । ଶାରୀରିକ ପରୀକ୍ଷା ହେଲା, ତା ପରେ ୧୬ଶହରୁ ଅଧିକ ପିଲା ସାକ୍ଷାତକାର ପରୀକ୍ଷା ବି ଦେଇଥିଲେ । ତେବେ ଅନେକଙ୍କୁ ଚକିତ କରିଛି ଚୂଡ଼ାନ୍ତ ମନୋନୀତ ତାଲିକା । ଗତକାଲି ତାଲିକା ପ୍ରକାଶ ପାଇବା ପରେ, ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ । ଯେଉଁମାନେ ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ, ଚୂଡ଼ାନ୍ତ ତାଲିକାରେ ସେମାନେ କୃତକାର୍ଯ୍ୟ ବୋଲି ଦର୍ଶାଯାଇଛି । ଜଣେ କି ଦୁଇ ଜଣ ନୁହେଁ, ଫେଲ୍ ହୋଇଥିବା ଶତାଧିକ ପ୍ରାର୍ଥୀ ଚାକିରି ପାଇଥିବା ଅଭିଯୋଗ ହୋଇଛି ।
ଗତକାଲି ଫଳ ପ୍ରକାଶ ପରେ ଆଜି ସକାଳୁ ସମସ୍ତ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ଦିନ ଧରି ଏହି ପରୀକ୍ଷାର ଫଳ ନବାହାରିବା ଏବଂ ହଠାତ କାଲି ରାତିରେ ବାହାରି, ତରବରିଆ ଭାବେ ଆଜି ପିଲାଙ୍କୁ ଚାକିରିରେ ଯୋଗ ଦେବାକୁ କୁହାଯିବା ସନ୍ଦେହକୁ ବଢ଼ାଇଛି । ଅନ୍ୟପଟେ ଏହି ଘଟଣାରେ କ୍ୟାମେରା ସାମ୍ନାକୁ ମୁହଁ ଖୋଲୁନି ଜିଲ୍ଲା ପୁଲିସ ।
Follow Us