କନକ ବ୍ୟୁରୋ: ଥମିବାର ନାଁ ନେଉନି ଆତ୍ମହତ୍ୟା । ପେଟ୍ରୋଲ ଓ କିରୋସିନରେ ଲଗାତାର ଭାବେ କେତେ ଜଣ ଜଳିଯିବା ପରେ ଏବେ ସାମନାକୁ ଆସିଛି ଆତ୍ମହତ୍ୟାର ନୂଆ ଟ୍ରେଣ୍ଡ । ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ କରୁଛନ୍ତି । ତାପରେ ନିଜ ହାତରେ ନିଜ ଜୀବନକୁ ଶେଷ କରି ଦେଉଛନ୍ତି । ଯାହାକି ଚିନ୍ତାର ବିଷୟ ହୋଇଛି । 

Advertisment

ନୂଆପଡ଼ା ସଦର ଥାନାର ମହିଳା କନେଷ୍ଟବଳ ଏହି ଭିଡିଓ କରିବା ପରେ ରେଲୱେ ଫାଟକ ନିକଟ ଗଛରେ ଝୁଲି ପଡ଼ିଥିଲେ । ପାରିବାରିକ କଳହ ଓ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ରୁକ୍ମଣୀ ଜୀବନ ହାରି ଦେଇଥିବା ଭିଡିଓରେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳ ନୂଆଗଡ଼ ଗୋଲେଇ ଛକ ନିକଟ ଏକ ଭଡ଼ା ଘରେ ଦିନକ ପୂର୍ବରୁ ଝୁଲିପଡ଼ିଥିଲେ  ବ୍ରହ୍ମପୁର ଅଞ୍ଚଳର ଶଙ୍କର ସୁବୁଦ୍ଧି । ମୃତ୍ୟୁ ପୂର୍ବରୁ ଭିଡିଓ କରି କହିଥିଲେ, ଟଙ୍କା ନେଣଦେଣକୁ ନେଇ ସ୍ଥାନୀୟ ଲୋକ ନିର୍ଯାତନା ଦେଇ ବାଇକକୁ ଛଡ଼ାଇ ନେଇଥିଲେ ।  ଯାହାକୁ ସହିପାରିଲେନି । 

ଓଡ଼ିଶାରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିକୁ ନେଇ ମତ ରଖିଛନ୍ତି ବିଶେଷଜ୍ଞ । କହିଛନ୍ତି ଜୀବନରେ ସମସ୍ୟା ଆସିବ, ସମସ୍ୟାର ସମାଧାନ ଓ ମୁକାବିଲା କରିବା ବଦଳରେ ଜୀବନକୁ ହାରିଦେବା ଉଚିତ ନୁହେଁ । ମାନସିକ ଅବସାଦ ହେଲେ ପରିବାରକୁ, ସମ୍ପର୍କୀୟଙ୍କୁ ଜଣାନ୍ତୁ । ଦରକାର ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।  

ସେପଟେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳ ଭିଆରପି କୋଲଣି ସାହିର ଏକ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତକ ବଡସାହି ଥାନା ଅସ୍ତଝରନ ଗାଁର ଲକ୍ଷ୍ମୀ ବାରିକ । ଯୁବତୀଙ୍କ ଇନଷ୍ଟାଗ୍ରାମ ଡିପିରେ ଯୁବତୀଙ୍କ ପୁରୁଷ ବନ୍ଧୁର ଫୋଟ ରହିଥିବାରୁ  ଆତ୍ମହତ୍ୟାକୁ ନେଇ ସନ୍ଦେହ ବଢ଼ିଛି ।