କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ , ହେଲେ ବିହାରରେ ନିର୍ବାଚନୀ ରାଜନୀତି ସରଗରମ । ଏନଡିଏ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଗସ୍ତ, ବିହାର ପାଇଁ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି । ଅର୍ଥାତ ବିହାର ଏନଡିଏରେ ଏଥର ମଙ୍ଗ ଧରିଛନ୍ତି ସିଧା ପ୍ରଧାନମନ୍ତ୍ରୀ । ଗୃହମନ୍ତ୍ରୀ ପହଂଚୁଛନ୍ତି, ଅନ୍ୟାନ୍ୟ ବିଜେପିର କେନ୍ଦ୍ରୀୟନେତାମାନେ ବି ଡେରା ପକାଇଲେଣି । ଗତ ନିର୍ବାଚନରେ ବହୁମତରୁ ଟିକେ ଆଗକୁ ଯାଇ ଏନଡିଏ ସରକାର ଗଠନ କରିଥିଲା । ଏବଂ ମହାଗଠବନ୍ଧନ ବହୁମତରୁ ଅଳ୍ପ କିଛି ଦୂରରେ ରହିଯାଇଥିଲା । ହେଲେ ଏଥର ସହଜରେ ବହୁମତ ହାସଲ କରିବାକୁ ଏନଡିଏ ମେଣ୍ଟ କଳ ବଳ କୌଶଳ ସବୁ ପ୍ରୟୋଗ କରିବା ଆରମ୍ଭ କରିଦେଇଥିବା ବେଳେ ମହାଗଠବନ୍ଧନ ବହୁମତ ଛୁଇଁବାକୁ ପୂରା ଦମ୍ ଲଗାଇ ଦେଇଛି ।
କିଛିଦିନ ପୂର୍ବରୁ କଂଗ୍ରେସ ସାଂସଦ ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ବିହାରରେ ଭୋଟ ଅଧିକାର ଯାତ୍ରା କରି ଦଳର ନେତା ଓ କର୍ମୀଙ୍କ ଭିତରେ ଯୋଶ ଭରିଛନ୍ତି । ହେଲେ ଏହି ଯାତ୍ରାରେ ପୂରା ମହାଗଠବନ୍ଧନର ସବୁ ସହଯୋଗୀ ଦଳ ସାମିଲ ଥିଲେ । ରାହୁଲଙ୍କ ପ୍ରଚାର ଗାଡ଼ିରେ ଆରଜେଡିର ତେଜସ୍ୱୀ ଯାଦବ ଓ ବାମମେଣ୍ଟର ଦୀପଙ୍କର ଭଟ୍ଟାଚାର୍ୟ୍ୟଙ୍କୁ ଦେଖିବାକୁ ମିଳିଥିଲା । ଆଉ ପ୍ରସଙ୍ଗ ଥିଲା ବିଜେପିର ଭୋଟ ଚୋରି ଏବଂ ବିହାରର ଏସଆଇଆର ।
ଏହାପରେ ଆଇଜେଡି ତରଫରୁ ବ୍ୟକ୍ତିଗତ ଭାବେ ବିହାରରେ ବିହାର ଅଧିକାର ଯାତ୍ରା ଚାଲିଛି । ରାହୁଲଙ୍କ ଭୋଟର ଅଧିକାର ଯାତ୍ରା ହେଉ କି ତେଜସ୍ୱୀଙ୍କ ବିହାର ଅଧିକାର ଯାତ୍ରା ହେଉ । ଏହି ଯାତ୍ରାରେ ଲୋକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା । ରାହୁଲଙ୍କ ଦେଶୀ ଅନ୍ଦାଜ ବିହାର ଏନଡିଏର ହୋସ ଉଡାଇଦେଇଥିଲା । ଏବେ ତେଜସ୍ୱୀଙ୍କ ତରଫରୁ ଚାଲିଥିବା ବିହାର ଅଧିକାର ଯାତ୍ରାରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।
ଦର୍ଶକ ବନ୍ଧୁ ମିଳିତ ଯାତ୍ରା ପରେ ଏବେ ମହାଗଠବନ୍ଧନର ସହଯୋଗୀ ଦଳମାନେ ସେମାନଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ଆରଜେଡିର ବିହାର ଅଧିକାର ଯାତ୍ରା ଚାଲିଥିବା ବେଳେ କଂଗ୍ରେସ ବିହାରର ବିଭିନ୍ନ ସ୍ଥାନରେ ଜନସଭା ନାମରେ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛି । ଆଉ ସବୁଠାରୁ ବଡ଼ କଥା ବିହାର ରାଜନୀତିରେ ପ୍ରଥମଥର ପ୍ରିୟଙ୍କା ଗାନ୍ଧୀ ଏଣ୍ଟ୍ରି ମାରୁଛନ୍ତି । ୨୬ ତାରିଖରେ ବିହାରର ମୋତିହାରିରେ ପ୍ରିୟଙ୍କା ଜନସଭାରେ ସମ୍ବୋଧିତ କରିବେ । ଏହାସହ ମୋତିହାରୀର କିଛି ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିବେ । ଏହାକୁ ନେଇ କଂଗ୍ରେସ ଭିତରେ ଜୋଶ ଭରିଛି । କଂଗ୍ରେସ ରାଜ୍ୟସଭା ସାଂସଦ ଅଖିଳେଶ ସିଂ କହିଛନ୍ତି କି ମୋତିହାରୀର ଗାନ୍ଧୀ ମଇଦାନ କଂଗ୍ରେସ ସଭା ପାଇଁ ଛୋଟ ପଡିବ, ମୋଦୀଙ୍କ ସଭା ତୁଳନାରେ ତିନିଗୁଣା ଲୋକ ପହଂଚିବେ । ସେପଟେ ମୋତିହାରୀ ଜନସଭାର ପ୍ରସ୍ତୁତି ଦେଖିବାକୁ ପହଂଚିଛନ୍ତି ସାଂସଦ ପପୁ ଯାଦବ ।
ନିର୍ବାଚନ ପୂର୍ବରୁ ସବୁଦଳମାନେ ପ୍ରସ୍ତୁତି କରିଥାନ୍ତି । ହେଲେ ଏଠି କଥା ଉଠୁଛି ଆସନ ବୁଝାମଣାକୁ ନେଇ । ତା ସହିତ ପ୍ରିୟଙ୍କାଙ୍କୁ ଫ୍ରଣ୍ଟ ଫିଗର କରି କଂଗ୍ରେସ ମହିଳା ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି । ହେଲେ ପ୍ରିୟଙ୍କା ଗାନ୍ଧୀ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାରେ କେତେ ସଫଳ ହେବେ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ