କନକ ବ୍ୟୁରୋ : ଯମୁନା ନଦୀ ପାଣିକୁ ନେଇ ଆରମ୍ଭ ହୋଇଥିବା ବିବାଦ ବଢିବାରେ ଲାଗିଛି। ଯମୁନା ପାଣିରେ ବିଷ ମିଶୁଥିବା ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଅଭିଯୋଗ ଉପରେ ବିସ୍ତୁତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। 

Advertisment

ଯମୁନା ନଦୀରେ କେଉଁ ପ୍ରକାରର ବିଷ ମିଶୁଛି? 
କିଏ ପାଣିରେ ବିଷ ମିଶ ବୋଲି ତଥ୍ୟ ଦେଇଛି?
କେଉଁଠି ଓ କେମିତି ଏହା ଠାବ ହୋଇଥିଲା ? 

ଏଭଳି କିଛି ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ ନିର୍ବାଚନ କମିଶନ। ଯାହାର ଯବାବ ରଖିଛି ଆପ। ଆପ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ ଜଳ ବୋର୍ଡର ତଥ୍ୟା ଅନୁଯାୟୀ ଯମୁନା ପାଣିରେ ‘ଆନୋନିଆ’ ଭାଗ ୭୦୦ ଗୁଣା ଅଧିକ ରହିଛି। ଯାହା ମଣିଷ ଶରୀରପ୍ରତି ଅତ୍ୟନ୍ତ କ୍ଷତିକାରକ । କେଜ୍ରୀୱାଲ କହିଛନ୍ତି, ନିର୍ବାଚନ କମିଶନ ପାତରଅନ୍ତର କରୁଛନ୍ତି। ଦିଲ୍ଲୀରେ ଖୋଲାଖୋଲି ଭାବେ ଟଙ୍କା ବଣ୍ଟା ହେଉଛି। କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଅବସର ପରେ ଭଲ ପୋଷ୍ଟିଂ ପାଇଁ ରାଜନୀତି କରୁଛନ୍ତି। କିନ୍ତୁ ଇତିହାସ ତାଙ୍କୁ କେବେ କ୍ଷମା ଦେବନି।

ରାଜୀବ କୁମାରଙ୍କୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ
 ‘ତିନି ବୋତଲ ପାଣି ପିଇକି ଦେଖାଅ’

ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି କେଜ୍ରିୱାଲ। ଆପ ସୁପ୍ରିମୋ କହିଛନ୍ତି, ମୁଁ ଇସିକୁ ୭୦୦ପିପିଏମ ଯୁକ୍ତ ଆମୋନିଆ ଏବଂ କ୍ଲୋରିନ ମିଶ୍ରିତ ତିନି ବୋତଲ ପାଣି ପଠାଇବି। ଯଦି ସାମ୍ବାଦିକ ସମ୍ମିଳନୀରେ ତିନି ନିର୍ବାଚନ ଅଧିକାରୀ ଏହି ପାଣି ପିଇଦେଲେ ତେବେ ସେ ତାଙ୍କର ଦୋଷ ସ୍ବୀକାର କରିବେ। ସେପେଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଦୂଷିତ ପାଣି ପାଇଁ ଆପ ଓ ବିଜେପିକୁ ଦାୟୀ କରିଛନ୍ତି। ରାହୁଲ କହିଛନ୍ତି, ୫ ବର୍ଷ ମଧ୍ୟରେ ଯମୁନା ପାଣିରେ ଗାଧୋଇବା ସହ ପିଇବା ଉପଯୋଗୀ କରିବାକୁ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଏବେ ତାଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ। ସେପଟେ କ୍ରେଜିୱାଲଙ୍କ ଅଭିଯୋଗ ଉପରେ ଯବାବ ରଖିଛି ବିଜେପି।

ଅରବିନ୍ଦ କେଜ୍‌ରିଓ୍ବାଲ, ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିବା ସହ ଏଥିରେ ବିଷ ମିଶୁଛି ବୋଲି କହିଥିଲେ। କେଜ୍ରିୱାଲଙ୍କ ବୟାନ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଯମୁନା ନଦୀର ପାଣି ପିଇଛନ୍ତି । ଏହାପରେ ସାଇନି କେବଳ ପାଣି କୁଳି କରୁଥିବା ଆପ ଅଭିଯୋଗ କରିବା ପରେ ବିଜେପି ପକ୍ଷରୁ ସାଇନି ପାଣି ପିଇବାର ଭିଡିଓ ଛଡ଼ାଯାଇଛି।