କନକବ୍ୟୁରୋ : କାମାକ୍ଷାନଗରରେ ବିଜେଡିର ଜରୁରୀକାଳୀନ ବୈଠକ। ଯୋଗଦେଲେ ଲୋକ ପ୍ରତିନିଧି ଓ ବରିଷ୍ଠ କାର୍ଯ୍ୟକର୍ତ୍ତା । ଦଳର ସାଂସଦ ପ୍ରାର୍ଥୀ ଥିବା ଅବିନାଶ ସାମଲଙ୍କୁ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ନେବାକୁ କହିଲେ ନେତା । ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ବହିଷ୍କାର ହେବା ପରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ନେତୃତ୍ବ କିଏ ନେବ ତାକୁ ନେଇ ଚର୍ଚ୍ଚା। ଦିନକ ତଳେ କାମାକ୍ଷାନଗର ସାରଙ୍ଗଧରରେ ବସିଥିଲା ବିଜେଡିର ଏକ ଜରୁରୀ ବୈଠକ । ଯେଉଁଥିରେ ଉପସ୍ଥିତ ଥିଲେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, କାମାକ୍ଷାନଗରର ବ୍ଲକ ଅଧ୍ୟକ୍ଷ, ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସମେତ ଅନ୍ୟ ନେତୃମଣ୍ଡଳୀ । ଆଉ ସେହି ବୈଠକରେ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
ରାଜ୍ୟ ରାଜନୀତିରେ ବିଜେଡିର ଗଡ଼ ଭାବେ ପରିଚିତ କାମାକ୍ଷାନଗର । ସେଠାରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ପ୍ରଫୁଲ୍ଲଙ୍କ ପରେ କିଏ ଏଠାରୁ ମଙ୍ଗ ଧରିବ, ସେଇ ଚର୍ଚ୍ଚା ଆଲୋଚନା ଭିତରେ ଅବିନାଶଙ୍କୁ ବଛାଯାଇଛି । ଦଳୀୟ କର୍ମକର୍ତ୍ତା ଓ ଲୋକ ପ୍ରତିନିଧିଙ୍କ ଏହି ନିଷ୍ପତ୍ତି ବିଜେଡିକୁ ଫାଇଦା ଦେବ ନା କ୍ଷତିଗ୍ରସ୍ତ କରିବ ତାହା ଏକ ବଡ ପ୍ରଶ୍ନ ।