କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନା ଅଞ୍ଚଳରେ ଜଣେ ବଣ୍ଡା ଛାତ୍ର ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡିଶାରେ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ପୁଣି ଜଣେ ବିରଳ ଜନ ଜାତି ଲାଞ୍ଜିଆସୌରା ସମ୍ପ୍ରଦାୟ ଅଂଚଳର ଜଣେ ଛାତ୍ର ନବେଶ ଶବର ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖାଇ ଅଂଚଳରେ ଚର୍ଚ୍ଚା ହୋଇ ରହିଛନ୍ତି ।

Advertisment

ନିଟ୍ ପରୀକ୍ଷା ପାସ୍ କରି ଡାକ୍ତରୀ ପଡ଼ିବାର ସ୍ବପ୍ନକୁ ସତ କରିଛନ୍ତି ଗୁଣୁପୁର ଶଗଡା ପଂଚାୟତ କେରେବା ଗାଁର ନବେସ ଶବର । ବାପା ଅଜିତ ଶବର ଓ ମା କାଲାମୀ ଶବର ଚାଷ କାମ କରନ୍ତି । ଅଭାବି ପରିବାରରେ ଜନ୍ମ ହୋଇଥିବା ନବେସ ବାପା ମା’ଙ୍କ ଦୁଃଖ ଦୂର କରିବା ପାଇଁ ପିଲାଦିନୁ ମନରେ ସଂକଳ୍ପ ନେଇଥିଲେ । ଆଉ ଏଥିପାଇଁ ଅହରହ ପରିଶ୍ରମ କରୁଥିଲେ । ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ଡାକ୍ତରୀ ପଢିବା ପାଇଁ ବୁର୍ଲା ଭୀମସାର ମେଡ଼ିକାଲ କଲେଜରେ ନାମ ଲେଖାଇଛନ୍ତି । ଏଥିପାଇଁ ସେ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ଯାହା ତାଙ୍କୁ ସଫଳତାର ସ୍ବାଦ ଚଖାଇଛି । ତାଙ୍କର ଏହି ସଫଳତା ପଛରେ ପରିବାର ଲୋକଙ୍କ ସହଯୋଗ ଥିବା କହିଛନ୍ତି ନବେସ  । ଡାକ୍ତର ହେଲେ ସେ ତାଙ୍କ ଅଂଚଳର ବିକାଶ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । 

ଲାଞ୍ଜିଆ ସୌରା ଅଂଚଳର ପ୍ରଥମ ଛାତ୍ର ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ ନବେସଙ୍କ ବାପା ଜଣେ ଚାଷୀ ଓ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବାରୁ ସରକାରଙ୍କ ତରଫରୁ ତାଙ୍କୁ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ଅଂଚଳର ବୁଦ୍ଧିଜୀବୀ । 

ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ଗୁଣୁପୁରବ୍ଲକ ପୁଟାସିଂ ଅଂଚଳରେ ଲାଞ୍ଜିଆ ସୌରା ଜନଜାତି ଲୋକେ ବସବାସ କରନ୍ତି । ବିକାଶ ଠାରୁ ଅନେକ ଦୂରରେ ଥିବା ଏହି ଅଂଚଳର ଯୁବକ ନିଟ ପରୀକ୍ଷାରେ ସଫଳତା ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ନବେସ ।