କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୂରର କିଛି ମାସ ପରେ ନରେନ୍ଦ୍ର ମୋଦୀ ସରକାର ଭାରତର ସବୁଠାରୁ ବଡ ପ୍ରତିରକ୍ଷା ଉନ୍ନତୀକରଣ ଯୋଜନା ଉନ୍ମୋଚନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ୧୫ ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଭାରତର ସଶସ୍ତ୍ର ବାହିନୀରେ ପରିବର୍ତ୍ତନ କରାଯିବ। ଏହି ରୋଡମ୍ୟାପ୍‌ରେ ଭାରତର ଅସ୍ତ୍ରଶସ୍ତ୍ରରେ ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧ ଜାହାଜ, ପରବର୍ତ୍ତୀ ପିଢ଼ିର ଯୁଦ୍ଧ ଟ୍ୟାଙ୍କ, ହାଇପରସୋନିକ୍ କ୍ଷେପଣାସ୍ତ୍ର, ଷ୍ଟେଲ୍‌ଥ ବମ୍ବର ଡ୍ରୋନ୍, ଏଆଇ ଚାଳିତ ଅସ୍ତ୍ରଶସ୍ତ୍ର ଓ ମହାକାଶଭିତ୍ତିକ ଯୁଦ୍ଧ ଜ୍ଞାନକୌଶଳ ସାମିଲ ରହିଛି ।

Advertisment

ଟି-୭୨ ଫ୍ଲିଟ୍ ବଦଳରେ ସେନା ପ୍ରାୟ ୧୮୦୦ ଆଡ୍‌ଭାନ୍ସ ଟ୍ୟାଙ୍କ, ପାର୍ବତ୍ୟ ଯୁଦ୍ଧ ପାଇଁ ୪୦୦ ଲାଇଟ୍ ଟ୍ୟାଙ୍କ, ୫୦,୦୦୦ ଟ୍ୟାଙ୍କ ମାଉଣ୍ଟେଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ର ଏବଂ ୭୦୦ରୁ ଅଧିକ ରୋବୋଟିକ୍ କାଉଣ୍ଟର-ଆଇଇଡି ସିଷ୍ଟମ୍‌କୁ ସାମିଲ କରିବ । ନୌସେନାକୁ ଏକ ନୂଆ ବିମାନବାହୀ ଜାହାଜ, ୧୦ଟି ପରବର୍ତ୍ତୀ ପିଢ଼ିର ଫ୍ରିଗେଟ୍, ୭ଟି ଅତ୍ୟାଧୁନିକ କର୍ଭେଟ୍ ଏବଂ ୪ଟି ଲ୍ୟାଣ୍ଡିଂ ଡକ୍ ପ୍ଲାଟଫର୍ମ ମିଳିବ । ଯୁଦ୍ଧ ଜାହାଜ ପାଇଁ ଆଣବିକ ପ୍ରପଲ୍ସନ୍ ବ୍ୟବହାର କରାଯିବା ସହ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଏୟାର୍‌କ୍ରାଫ୍ଟ ଲଞ୍ଚ୍ ସିଷ୍ଟମ୍ ମଧ୍ୟ କରାଯାଇଛି । ବାୟୁସେନା ୭୫ଟି ହାଇ-ଅଲ୍‌ଟିଚ୍ୟୁଡ୍‌ ଛଦ୍ମ ଉପଗ୍ରହ, ୧୫୦ଟି ଷ୍ଟେଲ୍‌ଥ ବମ୍ବର ଡ୍ରୋନ୍, ଶତାଧିକ ନିର୍ଦ୍ଦିଷ୍ଟ ଗାଇଡେଡ୍ ଯୁଦ୍ଧାସ୍ତ୍ର ଏବଂ ୧୦୦ରୁ ଅଧିକ ରିମୋଟ୍ ପାଇଲଟ୍ ବିମାନ କିଣାଯିବ । ଏହା ଏକବିଂଶ ଶତାବ୍ଦୀରେ ସମ୍ଭାବ୍ୟ ବିପଦର ଜବାବ ଦେବାରେ ସମର୍ଥ ହେବ ।

ଗତ ଏପ୍ରିଲ ୨୧ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା ଘଟଣାର ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହି ସମୟରେ ଭାରତ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ୍ କରିଥିଲା । ଭାରତ କେବଳ ଆତଙ୍କୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି ବୋଲି ସ୍ପଷ୍ଟ ବାର୍ତ୍ତା ଦେବା ସତ୍ତ୍ୱେ ପାକିସ୍ତାନ ହଜାର ହଜାର ଡ୍ରୋନ୍ ଓ ରକେଟ୍ ମାଡ଼ କରିଥିଲା । ସେଥିମଧ୍ୟରୁ ଅଧିକାଂଶକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିଲା । ଏହାପରେ ଭାରତ ପାକିସ୍ତାନର ପ୍ରମୁଖ ଏୟାର୍‌ବେସ୍‌ ସମେତ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ଇସଲାମାବାଦକୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରିବାକୁ ବାଧ୍ୟ କରିଥିଲା ।