କନକ ବ୍ୟୁରୋ : ନୂଆଁଖାଇ ପାଳିବା ପାଇଁ ନିଜ ନିଜ ଗାଁକୁ ଫେରିଥିଲେ ଦାଦାନ ଶ୍ରମିକ । ଉତ୍ସବ ସରିଗଲା କାମଧନ୍ଦା ଓ ରୋଜଗାର ପାଇଁ ପୁଣି ଅନ୍ୟ ରାଜ୍ୟକୁ ଫେରିଯିବେ । ଏଥିପାଇଁ ଶ୍ରମିକଙ୍କୁ ଆଗୁଆ ବଇନା ଦେଲେଣି ଦଲାଲ । କିଛି ଫେରିଗଲେଣି, ଆଉ କିଛି ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଠିକ୍ ଏତିକିବେଳେ ସରକାରଙ୍କ ନିଦ ଭାଙ୍ଗିଛି । ଦାଦନ ଚାଲାଣ ରୋକିବାକୁ ଶ୍ରମ ବିଭାଗ ତତ୍ପରତା ଦେଖାଇଛି ।
ରାତିରେ ରେଳ ଷ୍ଟେସନ୍ ଜଗିବାକୁ ଶ୍ରମ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ । ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରେ ଦାଦନ ଚାଲାଣ ହେଉଥିବା ନଜରକୁ ଆସିଛି ।ଟିଟିଲାଗଡ଼, ମୁରିବାହାଲ, ଲାଥୋର, ରାଇନଭଟା, କଣ୍ଟାବାଞ୍ଜିରୁ ଶ୍ରମିକ ଚାଲାଣ ହେଉଛନ୍ତି । ନୂଆପଡ଼ା ଓ ଖରିଆର ଷ୍ଟେସନରୁ ବି ଶ୍ରମିକ ବାହାର ରାଜ୍ୟକୁ ଯାଉଥିବା ଜଣାପଡ଼ିଛି । ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନ, ପୁଲିସ ଓ ରେଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ । ଦଲାଲଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ୍ କରାଯାଇଛି ।
ଦାଦନ ରୋକିବା ପାଇଁ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ଯେଉଁ ରାଜ୍ୟକୁ ଶ୍ରମିକ ଯାଉଛନ୍ତି ସେଠାକୁ ଯାଇ କାରଣ ଖୋଜିବ ଟିମ୍ । କିଭଳି ଶ୍ରମିକଙ୍କୁ ଆମ ରାଜ୍ୟରେ ଅଧିକ ରୋଜଗାର ଦିଆଯିବ ସେନେଇ ସରକାର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ହେଲେ ନୂଆଁଖାଇ ପରେ କାମଧନ୍ଦା ମିଳୁନଥିବାରୁ ସେମାନେ ପୁଣି ବାହାର ରାଜ୍ୟ ମୁହାଁ ।
ଏମିତି ବର୍ଷ ବର୍ଷ ଧରି ଜୀବନକୁ ବିପନ୍ନ କରି ରୋଜଗାର ପାଇଁ ବାହାର ରାଜ୍ୟକୁ ଧାଉଁଛନ୍ତି ଶ୍ରମିକ । ହେଲେ ସରକାରଙ୍କ ଯୋଜନା ଓ ନିଷ୍ପତ୍ତି ସେମାନଙ୍କ ପାଇଁ ଅପହଞ୍ଚ । ତେଣୁ ପ୍ରଶ୍ନ ଉଠୁଛି ଦାଦନ ଅପବାଦର ମୂଳପୋଛ ହେବ ତ ?