କନକ ବ୍ୟୁରୋ : ହଷ୍ଟେଲରେ ଖାଇବାକୁ ନପାଇ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ହଷ୍ଟେଲ ଛାତ୍ର । କାଲିମେଳା ସଦର ମହକୁମା ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ଦିନ ୧୦ଟାରେ ହଷ୍ଟେଲର ପ୍ରାୟ ୩୦ ଜଣ ଛାତ୍ର କାଲିମେଳା ବିଡ଼ିଓଙ୍କ କାର୍ୟ୍ୟଳୟରେ ପହଞ୍ଚି , ସେମାନଙ୍କୁ ୬ ମାସ ହେଲା ଠିକରେ ଖାଇବାକୁ ଦିଆ ଯାଉନାହିଁ ବୋଲି ଅଭିଯୋଗ କରିଥିଲେ । ଖାଇବାକୁ ଯେତିକି ଦିଆଯାଉଛି ସେତିକିରେ ପେଟ ପୁରୁନାହିଁ । ଜଳଖିଆ ଦିଆଯାଉ ନାହିଁ , ଡାଲମାରେ ପନିପରିବା ପଡୁନାହିଁ । ପିଲାଙ୍କ ଥାଳିରେ କେବଳ ଡାଲିପାଣି ପରଷା ଯାଉଛି । ପ୍ରାୟ ୬ ମାସ ହେଲା ଖାଦ୍ୟରେ ଏଭଳି ଅବହେଳା କରାଯାଉଛି , ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଛାତ୍ରମାନେ ।
ଅଭିଯୋଗ ଶୁଣିବା ପରେ ବିଡିଓ ଛାତ୍ରମାନଙ୍କୁ ଜଳଖିଆ ଦେବାର ବ୍ୟବସ୍ଥା କରିଥିଲେ । ବ୍ଲକ କାର୍ୟ୍ୟାଳୟରେ ପିଲାମାନଙ୍କୁ ଟିଫିନ ଖାଇବାକୁ ଦେଇ ହଷ୍ଟେଲକୁ ପଠାଇଥିଲେ । ଏହାପରେ ବିଡ଼ିଓ ନିଜେ ହଷ୍ଟେଲକୁ ଯାଇ ତଦନ୍ତ କରିଛନ୍ତି ଏବଂ ସେଠିକାର ଅବ୍ୟବସ୍ଥା ଦେଖି ବିଡିଓ ଅସନ୍ତୋଷ ପ୍ରକାଶ କରିଛନ୍ତି । କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ୧୧୦ ବିଶିଷ୍ଟ ଛାତ୍ରବାସ ରହିଛି । ଛାତ୍ରାବାସରେ ଷଷ୍ଠରୁ ଦଶମ ଶ୍ରେଣୀର ୧୧୦ ଜଣ ବଦଳରେ ୯୦ ଜଣ ଛାତ୍ରଥିଲେ ମଧ୍ୟ ସେମାନଙ୍କୁ ସଠିକଭାବେ ଖାଇବାକୁ ଦିଆ ଯାଉନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି ବିଡ଼ିଓ ପ୍ରଦୀପ କୁମାର କର କହିଛନ୍ତି ।