କନକ ବ୍ୟୁରୋ: ବିହାରରେ ଏନଡିଏର ଐତିହାସିକ ସଫଳତା ପରେ ନୂଆ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନରେ ଲୋକମାନେ ବିପୁଳ ସଂଖ୍ୟା ଗରିଷ୍ଠତା ସହିତ ଏନଡିଏକୁ ବିପୁଳ ବିଜୟ ଦେଇଛନ୍ତି । ଏନଡିଏର ସହଯୋଗୀ ଦଳମାନେ ପୃଥକ ପୃଥକ ଭାବେ ବୈଠକ ଆରମ୍ଭ କଲେଣି । ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ଚିରାଗ ପାଶୱାନଙ୍କ ଘରେ ଜମିଛି ନେତାଙ୍କ ମେଳି । ନବନିର୍ବାଚିତ ବିଜେପି,ଜେଡିୟୁ ନେତାମାନଙ୍କ ସହ ବୈଠକ କରିଛନ୍ତି ଚିରାଗ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚିରାଗ ପାଶୱାନ ଜଣେ ଉପମୁଖ୍ୟମନ୍ତ୍ରୀ ଓ ଦୁଇଜଣ ମନ୍ତ୍ରୀ ପଦ ଦାବି କରିଛନ୍ତି । ସେପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମଧ୍ୟରେ ଘନଘନ ବୈଠକ ବସିଥିବା ସୂଚନା ମିଳିଛି । ବିହାର ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀୀ ଧର୍ମେନ୍ଦ୍ର ପ୍ରଧାନ ଓ ସହପ୍ରଭାରୀ ବିନୋଦ ତାୱାଡେ ଅମିତ ଶାହାଙ୍କ ସହ ପ୍ରାୟ ୪୫ ମିନିଟ ଧରି ବୈଠକ କରିଛନ୍ତି । ସେପଟେ ନଭେମ୍ବର ୨୨ ପୂର୍ବରୁ ନୂଆ ସରକାର ଶପଥ ନେଇପାରନ୍ତି । ସୋମବାର ରାଜ୍ୟପାଳଙ୍କୁ ଭେଟି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି । ଯାହା ପରେ ନୂଆ ସରକାର ଗଠନ ପ୍ରକ୍ରିୟାକୁ ଆଗକୁ ବଢ଼ାଯିବ ।

Advertisment

 ଅଧିକ ପଢନ୍ତୁ:  ଆହୁରି ବଢ଼ିଲା ମୋହନଙ୍କ ଲୋକପ୍ରିୟତା; ନୂଆପଡ଼ା ବିଜୟ ବିଜେପିକୁ ଦେଲା ବୁଷ୍ଟରଡୋଜ୍‌


ସେପଟେ ବିଧାନସଭା ନିର୍ବାଚନରେ ଆରଜେଡି ଶୋଚନୀୟ ପରାଜୟ ପରେ ବିହାରରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ପୂର୍ବତନ ଲୋକସଭା ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ ଶନିବାର ରାଜନୀତି ଛାଡ଼ିବା ସହ ପରିବାର ସହ ସମ୍ପର୍କ ଛିନ୍ନ ନେଇ ଘୋଷଣା କରିଛନ୍ତି । ନିଜ ଘର ଛାଡ଼ିବାର କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି, ମୋର କୌଣସି ପରିବାର ନାହିଁ । ସେମାନେ ମୋତେ ମୋ ପରିବାରରୁ ବାହାର କରିଦେଇଛନ୍ତି । କାହିଁକି ଦଳର ଏଭଳି ସ୍ଥିତି ହେଲା, ତାହା ସମସ୍ତେ ପ୍ରଶ୍ନ କରୁଛନ୍ତି । କିନ୍ତୁ ଏମାନେ ପରାଜୟ ପାଇଁ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହଁନ୍ତି । ପରାଜୟ ପାଇଁ ନିଜକୁ ଆଦୌ ଦାୟୀ କରୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରୋହିଣୀ । ୨୦୨୪ ଲୋକସଭାରେ ସାରନ ଆସନରୁ ଆରଜେଡି ଟିକେଟରେ ନିର୍ବାଚନ ଲଢ଼ିଥିବା ବେଳେ ବିଜେପିର ରାଜୀବ ପ୍ରତାପ ରୁଡିଙ୍କ ଠାରୁ ପରାଜିତ ହୋଇଥିଲେ।