କନକ ବ୍ୟୁରୋ; ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ । ପ୍ରାଥମିକ ବିଦ୍ୟାଳୟରେ ଏପଟେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଚାଲିଛି ପରୀକ୍ଷା । ଠିକ୍ ସେହି ସମୟରେ ୭୫୦୦୦ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ନିଜ ଯୋଗ୍ୟତା ପ୍ରତିପାଦନ କରିବାକୁ ଆଜି ଓଟିଇଟି ପରୀକ୍ଷା ଦେବେ। ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂରେ ପେପର-୧ ପରୀକ୍ଷା ହେବ । ଅପରାହ୍ଣ ୨ଟାରୁ ସାଢ଼େ ୪ଟା ଯାଏଁ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ । ତ୍ରୁଟି ଶୂନ୍ୟ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆରକୋଡ ଓ ୱାଟର ମାର୍କ ରହିଛି ।
ସେହିପରି ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ ରହିଛି । ସିବିଏସଇ ଭଳି ପ୍ରଶ୍ନପତ୍ର ଓ ଉତ୍ତରଖାତା ପରିବହନ ସମୟରେ ବୋର୍ଡ ଟ୍ରଙ୍କ କଣ୍ଟେନର ସହ ଡିଜିଟାଲ ଲକର ବ୍ୟବହାର କରାଯାଇଛି । ଚଳିତ ମାସ ୧୭ ତାରିଖରୁ ବୋର୍ଡ ୱେବସାଇଟରେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଦିଆଯାଇଛି । ପରୀକ୍ଷାର ତାରିଖ ବଦଳିଥିବାରୁ ନୂଆ ଆଡମିଟ କାର୍ଡ ପୁଣି ଥରେ ଦିଆଯାଇଛି । ପୂର୍ବରୁ ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ଦୁଇ ଥର ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଅନ୍ୟପଟେ ଶିକ୍ଷକମାନେ ଓଟିଇଟି ପରୀକ୍ଷା ଦେବାକୁ ଆଜି ଆସିବାକୁ ଥିବାରୁ କିଛି ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇଯିବ । ତେଣୁ ପାଖ ବିଦ୍ୟାଳୟରୁ ଏମଡିଏମ ଦେବା ପାଇଁ ଓ ବିଦ୍ୟାଳୟ ଖୋଲିବା ପାଇଁ କିଛି ଶିକ୍ଷକ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।