କନକ ବ୍ୟୁରୋ: ପୁଣି ରାଜ୍ୟସଭାରୁ ଇସ୍ତଫା ଦେଲେ ଆଉ ଜଣେ ବିଜେଡି ସାଂସଦ । ସାଂସଦ ସୁଜିତ୍ କୁମାର ଶୁକ୍ରବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଂସଦ ପଦରୁ ଇସ୍ତଫା ଦେବାର ମାତ୍ର କିଛି ସମୟ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଯାହା ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି ।

ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ କାର୍ୟ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ପର୍ୟ୍ୟନ୍ତ ରହିଥିଲା । ହେଲେ ଏହା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପରେ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତେବେ ମମତା ମହନ୍ତଙ୍କ ପରେ ବିଜେଡିର ଦ୍ୱିତୀୟ ସାଂସଦ ଭାବେ ସୁଜିତ୍ କୁମାର ସାଂସଦ ପଦ ଛାଡିଛନ୍ତି । ଆଉ ଖୁବଶୀଘ୍ର ସେ ବିଜେପିରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦିନେ କି ଦୁଇ ଦିନ ଭିତରେ ସେ ବିଜେପିରେ ସାମିଲ ହେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।