କନକ ବ୍ୟୁରୋ: ପୁଣି ଆରମ୍ଭ ହୋଇସାରିଛି ଆଇପିଏଲ ମହାସମର । ଭାରତ-ପାକିସ୍ତାନ ଯୁଦ୍ଧ କାରଣରୁ ବନ୍ଦ ଥିବା ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହୋଇଛି । ତେବେ ଏହାରି ଭିତରେ କିଛି ବିଦେଶୀ ଖେଳାଳିଙ୍କର ଅନୁପସ୍ଥିତି ଆଇପିଏଲ ପାଇଁ ଚିନ୍ତାର କାରଣ ପାଲଟିଛି । ହେଲେ ଫ୍ରାଞ୍ଚାଇଜ ଏହାର ଉପାୟ ବାହାର କରିସାରିଛନ୍ତି । ଯେଉଁ ବିଦେଶୀ ଖେଳାଳି ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ତାଙ୍କ ବଦଳରେ ଅନ୍ୟ ବିଦେଶୀ ଖେଳାଳିଙ୍କୁ ସାଇନ୍ କରାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ବିଦେଶୀ ଖେଳାଳି ପିଏସଏଲ ଛାଡ଼ି ଏବେ ଆଇପିଏଲ ମୁହାଁ ହୋଇଛନ୍ତି ।
ଯୁଦ୍ଧ ପରେ ପ୍ରଥମେ ଶ୍ରୀଲଙ୍କା ଖେଳାଳି କୁସଲ ମେଣ୍ଡିସ ପିଏସଏଲ ଛାଡ଼ି ଆଇପିଏଲରେ ଏଣ୍ଟ୍ରି ମାରିବାର ଖବର ସାମ୍ନାକୁ ଆସିଥିଲା । ସେ ପିଏସଏଲରେ କ୍ୱେଟା ଗ୍ଲାଡିଏଟର୍ସ ତରଫରୁ ଖେଳୁଥିଲେ । ହେଲେ ଯୁଦ୍ଧ ଯୋଗୁଁ ପିଏସଏଲ ସ୍ଥଗିତ ରହିବା କାରଣରୁ କୁସଲ ମେଣ୍ଡିସ ପାକିସ୍ତାନ ଛାଡିଦେଇଥିଲେ । ଆଉ ପାକିସ୍ତାନ ଫେରିନଥିଲେ । ତେବେ ଆଇପିଏଲରେ ଗୁଜରାଟ ଟାଇଟନ୍ସର ଜୋସ ବଟଲର ଦଳ ଛାଡିବା ତାଙ୍କ ପାଇଁ ସୁଯୋଗ ଆଣିଦେଇଛି । ବଟଲରଙ୍କ ସ୍ଥାନରେ ଗୁଜରାଟ ମେଣ୍ଡିସଙ୍କୁ ଦଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ଏବେ ଦ୍ବିତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡର କାଇଲ ଜାମିନସନ୍ ପିଏସଏଲ ଛାଡ଼ିଦେଇଛନ୍ତି । ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ଦଳରେ ସାମିଲ କରିଛି । ସେ ପିଏସଏଲରେ କ୍ୱେଟା ଗ୍ଲାଡିଏଟର୍ସ ଦଳ ପକ୍ଷରୁ ଖେଳୁଥିଲେ । ହେଲେ ଯୁଦ୍ଧ ସମୟରେ ସେ ପାକିସ୍ତାନ ଛାଡ଼ିଦେଇଥିଲେ । ଆଉ ବର୍ତ୍ତମାନ ସେ ପାକିସ୍ତାନ ଫେରିବେନି କିନ୍ତୁ ଆଇପିଏଲ ଖେଳିବାକୁ ଭାରତ ଆସିବେ । ଜାମିନସନଙ୍କୁ ପଞ୍ଜାବ ଲକି ଫର୍ଗୁସନଙ୍କ ସ୍ଥାନରେ ଦଳରେ ସାମିଲ କରିଛି । କାରଣ ଫର୍ଗୁସନ ଆହତ କାରଣରୁ ଆଇପିଏଲ ଛାଡ଼ି ଦେଇଛନ୍ତି ।
ଯୁଦ୍ଧ ସମୟରେ ପାକିସ୍ତାନ ଉପରେ ଭାରତ ଯେଉଁଭଳି ଭାବେ ଆକ୍ରମଣ କରିଥିଲା । ସେଥିରେ ଭୟଭୀତ ହୋଇଯାଇଥିଲେ ପିଏସଏଲ ଖେଳୁଥିବା ବିଦେଶୀ ଖେଳାଳି । କିଛି ଖେଳାଳି ପାକିସ୍ତାନ ଛାଡ଼ି ଭୟରେ ନିଜ ଦେଶକୁ ଫେରିଯାଇଥିଲେ । ଆଉ କେବେ ପାକିସ୍ତାନ ଆସିବେନି ବୋଲି କହିଥିଲେ । ଯାହା ପାକିସ୍ତାନକୁ ବିଶ୍ୱ ଦରବାରରେ ଛୋଟ କରିଦେଇଥିଲା । ଏମିତିରେ ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ପାକିସ୍ତାନକୁ ସବୁ ଦେଶ ମୁହଁ ଫେରାଉଥିବା ବେଳେ ଏବେ ଅପରେସନ ସିନ୍ଦୂରର ଭୟ ପାକିସ୍ତାନ କ୍ରିକେଟକୁ ଚିତ୍ କରିଦେଇଛି ।
ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆଇପିଏଲ ଆଉ ପିଏସଏଲକୁ ସ୍ଥଗିତ ରଖାଯାଇଥିଲା । ପାକିସ୍ତାନ ଦୁବାଇରେ ପିଏସଏଲ କରିବାକୁ ଇଚ୍ଛା କରୁଥିବା ବେଳେ ସେଠାରେ ତାକୁ ଅନୁମତି ମିଳିନଥିଲା । ଯୁଦ୍ଧରେ ବିରାମ ଲାଗିବା ପରେ ଭାରତରେ ଆଇପିଏଲର ବିଗୁଲ ବାଜିଥିଲା । ଆଉ ମେ’ ୧୭ ତାରିଖରେ ଆଇପିଏଲ ଆରମ୍ଭ ହୋଇଥିଲା । ଆଉ ଭାରତର ଦେଖାଦେଖି ଏବେ ପାକିସ୍ତାନ ବି ପିଏସଏଲ ଆରମ୍ଭ କରିଛି । ହେଲେ ଅନେକ ବିଦେଶୀ ଖେଳାଳିଙ୍କୁ ଆଉ ପିଏସଏଲରେ ଦେଖିବାକୁ ମିଳିବ ନାହିଁ ।