କନକ ବ୍ୟୁରୋ: ଚନ୍ଦକା ଅଭୟାରଣ୍ୟରେ ହୋଇଥିବା ମୋରମ ଚୋରି ଘଟଣାକୁ ସ୍ୱୀକାର କଲା ବନ ବିଭାଗ। କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆରମ୍ଭ ହୋଇଛି ବନ ବିଭାଗର ତଦନ୍ତ। ଗଠନ ହେଲା ସ୍ୱତନ୍ତ୍ର ତଦନ୍ତ ଟିମ୍। ଚନ୍ଦକା ଡିଏଫ୍ଓଙ୍କ ନିର୍ଦ୍ଦେଶରେ ଅଭୟାରଣ୍ୟ ଭିତରେ ତଦନ୍ତ ଆରମ୍ଭ କଲେ ଏସିଏଫ୍ ।
ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଚାଲିଥିଲା ବେଆଇନ ମୋରମ୍ ଖଣି ଖନନ । ଚୋରି ସମୟର ଦୃଶ୍ୟ ଦେଖିବା ପରେ ବନ ବିଭାଗର ନିଦ ଭାଙ୍ଗିଛି । ଆରମ୍ଭ ହୋଇଛି ଖୋଳତାଡ଼ । ତଦନ୍ତ ପାଇଁ ବିଭାଗ ପକ୍ଷରୁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍। ଶୁକ୍ରବାର ସକାଳୁ ସକାଳୁ ଅଭୟାରଣ୍ୟର ଚାରିପଟେ ବୁଲିଥିଲେ ବନ ବିଭାଗ କର୍ମଚାରୀ ଓ ଅଧିକାରୀ। କେଉଁଠୁ ମୋରମ୍ ଚୋରି ହେଉଥିଲା, ତା’ର ଫଟୋ ଉଠାଇଥିଲେ। କିଛିସମୟ ମଧ୍ୟରେ ଏସିଏଫ୍ ମଧୁସ୍ମିତା ଦାସଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ମଧ୍ୟ ପହଞ୍ଚିଥିଲେ।
ସ୍ଥିତି ଅନୁଧ୍ୟାନ କରିବା ପରେ, ଅଭୟାରଣ୍ୟ ଭିତରେ ଥିବା ଯୋଡ଼ିବିଲକୁ ଯାଇଥିଲେ ତଦନ୍ତକାରୀ ଟିମ୍। ଅଭୟାରଣ୍ୟ ଭିତରର ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦେଢ଼ ଘଣ୍ଟା ଧରି ଚାଲିଥିଲା ମାପଚୁପ। ଅଭୟାରଣ୍ୟ ଭିତରେ ୭୧ ମିଟର ଲମ୍ବ ଓ ୪୦ ମିଟର ଓସାରର ଖଣି ଖନନ ହୋଇଥିବା ଜାଣିବାକୁ ପାଇଥିଲା ତଦନ୍ତକାରୀ ଟିମ୍।
ସବୁଠାରୁ ବଡ଼କଥା ହେଉଛି, ଚନ୍ଦକା ଅଭୟାରଣ୍ୟ ଭିତରେ ମୋରମ ଚୋରି ହୋଇଥିବା କନକ ନ୍ୟୁଜ୍ ଆଗରେ ସ୍ୱୀକାର କରିଛନ୍ତି ଡିଏଫ୍ଓ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବିଭାଗୀୟ କର୍ମଚାରୀ ଓ ଅଧିକାରୀ ସଂପୃକ୍ତ ଥିଲେ କାହାରିକୁ ଛଡ଼ାଯିବନି । ଏପରିକି ଅଭୟାରଣ୍ୟ ଭିତରକୁ ଯାଇଥିବା ଗାଡ଼ି ମାଲିକଙ୍କୁ ନୋଟିସ୍ ହେବ ବୋଲି କହିଛନ୍ତି ଚନ୍ଦକା ଡିଏଫ୍ଓ ।
ଚନ୍ଦକା ଅଭୟାରଣ୍ୟରେ ମୋରମ ଚୋରି ଘଟଣା ଆଉ ଲୁଚି ରହିନାହିଁ। ଆଉ ପ୍ରଶ୍ନ ଉଠୁଛି ନିଷେଧାଞ୍ଚଳ ଭିତରେ କିଭଳି ମୋରମ୍ ଖନନ ହେଲା ? ପାଟ୍ରୋଲିଂ ସତ୍ତ୍ୱେ କେମିତି ଚୋରି ହେଲା ଜଙ୍ଗଲ ସମ୍ପତ୍ତି ? ବନ ବିଭାଗର କେଉଁ ଅଧିକାରୀଙ୍କ ରହିଛି ସମ୍ପୃକ୍ତି ? କେଳେଙ୍କାରୀରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/08/01/46-forest-2025-08-01-19-23-18.jpg)