କନକ ବ୍ୟୁରୋ : ସିରିଆରେ ପ୍ରଥମେ ଆମେରିକା ଓ ପରେ ଇସ୍ରାଏଲ ରକେଟ୍ ମାଡ଼ କରିଥିଲା । ଏବେ ତୁର୍କି କରିଛି ଆକ୍ରମଣ ତୁର୍କୀର ଡ୍ରୋନ୍ ପୂର୍ବ ସିରିଆର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରି ୬ ଜଣ ଶିଶୁଙ୍କ ସମେତ ୧୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି । ତୁର୍କୀ ସେନା ସିରିଆର ଉତ୍ତରାଞ୍ଚଳ ମନବିଜକୁ ମଧ୍ୟ ନିଜ କବଜ୍ଜା । ଆତଙ୍କବାଦୀଙ୍କୁ ନିପାତ କଲା ତୁର୍କୀ । ୨୦୧୬ରେ କୁର୍ଦ୍ଦ ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ (ଏସ୍ ଏଫ୍ ଡି) ଆଇଏସଆଇଏସ୍ କୁ ପରାସ୍ତ କରି ମନବିଜକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ମନବିଜରେ ଏସଡିଏଫର ପରାଜୟ ପରେ କୁର୍ଦ୍ଦ ସୈନିକଙ୍କୁ ସ୍ଥାନାନ୍ତର କରିବା ପାଇଁ ସୋମବାର ଆମେରିକା ଓ ତୁର୍କୀ ମଧ୍ୟରେ ଚୁକ୍ତି ହୋଇଛି । ସେପଟେ ତୁର୍କୀ ରାଷ୍ଟ୍ରପତି କହିଛନ୍ତି ଯେ ମନବିଜରୁ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାରୁ ସେ ଖୁସି ଅଛନ୍ତି । ତୁର୍କି ବୈଦେଶିକ ମନ୍ତ୍ରୀ ହାକାନ୍ ଫିଦାନ୍ ସିରିଆରେ ଏକ ନୂତନ ଯୁଗ ପାଇଁ ଆଶା ବ୍ୟକ୍ତ କରିଛନ୍ତି ଯେଉଁଥିରେ ଜାତିଗତ ଏବଂ ଧାର୍ମିକ ଗୋଷ୍ଠୀ ଏକ ସମାବେଶୀ ସରକାର ଅଧୀନରେ ଶାନ୍ତିପୂର୍ଣ୍ଣ ଭାବରେ ରହିବାରେ ସକ୍ଷମ ହେବେ ।
ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରିବା ପରେ ସିରିଆ ଏବେ ଇସଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ ତାହିର ଅଲ-ଶାମ ବା ଏଚଟିଏସ ର କବଜାରେ ରହିଛି । ସିରିଆକୁ ଏଚଟିଏସ ଦଖଲ କରିବା ପରେ ରାଷ୍ଟ୍ରପତି ବଶାର ଅଲ-ଅସଦ ଏବଂ ତାଙ୍କ ପରିବାର ରୁଷିଆକୁ ପଳାୟନ କରିଛନ୍ତି । ସେପଟେ ଅସଦଙ୍କ ପଳାୟନ ପରେ ଆମେରିକା ଓ ଇସ୍ରାଏଲ ବଡ଼ ପଦକ୍ଷେପ ନେଇଛନ୍ତି । ଇସ୍ରାଏଲ ସହ ମିଶି ଆମେରିକୀୟ ବାୟୁସେନା ସିରିଆରେ ଥିବା ସାମରିକ ଘାଟି ଓ ରାସାୟନିକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି । ଆମେରିକାର ବାୟୁସେନାର ବୋମାବର୍ଷୀ ବିମାନ ସେଗୁଡ଼ିକୁ ଧ୍ୱଂସ କରିଛି। ସିରିଆର ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଯେପରି ବିଦ୍ରୋହୀଙ୍କ ହାତକୁ ନ ଯାଏ ତାହା ସୁନିଶ୍ଚିତ କରିବାକୁ ଏହି ଆକ୍ରମଣ କରାଯାଇଛି ବୋଲି ଆମେରିକା କହିଛି । ଏହାରି ଭିତରେ ଇସ୍ରାଏଲ ସେନା ମଧ୍ୟ ସ୍ଥଳଭାଗରୁ ସିରିଆ ସୀମାରେ ପ୍ରବେଶ କରିଛି । ୧୯୭୪ ଚୁକ୍ତି ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ସିରିଆ ମାଟିରେ ପାଦ ଥାପିଛି। ଖାଲି ସେତିକି ନୁହେଁ, ଇସ୍ରାଏଲ ସେନା ଗୋଲାନ ହାଇଟ୍ସ ନିକଟରେ ଥିବା ସିରିଆ ସୀମାର ୧୦ କିଲୋମିଟର ଭିତରେ ଥିବା ଜମିକୁ ଦଖଲ କରି ବଫର ଜୋନରେ ପରିଣତ କରିଛି । ଇସ୍ରାଏଲ ଏହି ପଦକ୍ଷେପ ପଛରେ ନିଜ ନାଗରିକଙ୍କ ସୁରକ୍ଷାକୁ ଦର୍ଶାଇଛି । ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ସୋମବାର କହିଛନ୍ତି ଯେ ଇସ୍ରାଏଲ ସେନା ସିରିଆରେ ସନ୍ଦିଗ୍ଧ ରାସାୟନିକ ଅସ୍ତ୍ର ଶସ୍ତ୍ର ପ୍ରତିଷ୍ଠାନ ଏବଂ ଦୀର୍ଘ ଦୂରତା ରକେଟ୍ ଉପରେ ଆକ୍ରମଣ କରି ନଷ୍ଟ କରିଛି । ବୈଦେଶିକ ମନ୍ତ୍ରୀ ଗିଦିଓନ ସାର କହିଛନ୍ତି, ଆମର ଏକମାତ୍ର ସ୍ୱାର୍ଥ ହେଉଛି ଇସ୍ରାଏଲ ଏବଂ ଏହାର ନାଗରିକଙ୍କ ସୁରକ୍ଷା ।
ଦେଶରେ ୨୪ ବର୍ଷର ରାଷ୍ଟ୍ରପତି ବଶରଙ୍କ ଶାସନ ଶେଷ ହେବା ପରେ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ବିଦ୍ରୋହୀ ଗୋଷ୍ଠୀ ‘ହୟାତ ତହରିର ଅଲ୍-ଶାମ’ କବଜାରେ ସିରିଆ। ଏବେ ବିଦ୍ରୋହୀଙ୍କ ଦଖଲରେ ପ୍ରମୁଖ ସହର ଦମାସ୍କସ୍, ଦାରା, କୁନେତ୍ରା, ସୁୱେଡା ଏବଂ ହୋମ୍ସ। ଦେଶର ସବୁଠାରୁ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀ ‘ହୟାତ ତହରିର ଅଲ୍-ଶାମ’ ମୁଖ୍ୟ ଅବୁ ମହମ୍ମଦ ଅଲ ଜୁଲାନିଙ୍କ ହାତକୁ ଯାଇପାରେ କ୍ଷମତା। ଦେଶ ଛାଡି ଋଷିଆରେ ଆଶ୍ରୟ ନେଇଛନ୍ତି ରାଷ୍ଟ୍ରପତି ବଶର ଅଲ ଅସଦ। ଏପଟେ ଶାନ୍ତିପୂର୍ଣ୍ଣ ଭାବେ ଜୁଲାନି କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ସିରିୟା ସରକାର।
ଯଦି ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟ ଜୁଲାନି ସିରିଆର ରାଷ୍ଟ୍ରପତି ହେବେ ତାହାଲେ ଏହା ସ୍ପଷ୍ଟଯେ, ସିରିଆ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଜାରିରଖିବ, କାରଣ ଏହି ଦୁଇ ଦେଶ ଆତଙ୍କବାଦୀ ସଂଙ୍ଗଠନକୁ ମୂଳରୁ ବିରୋଧ କରିଆସୁଛନ୍ତି। ଆଉ ସିରିଆର ପଡୋଶୀ ଦେଶ ଇସ୍ରାଏଲ ନିଜ ଦେଶର ସୁରକ୍ଷା ପାଇଁ କିଛି ବି କରିପାରେ ।ତେବେ ଦେଖିବାକୁ ବାକି ରହିଲା କିଏ ହେଉଛି ସିରିଆର ସବୋର୍ଚ୍ଚ ନେତା ଏବଂ ସେହି ଘୋଷଣାକୁ ହିଁ ବିଶ୍ବର ଅପେକ୍ଷା