କନକ ବ୍ୟୁରୋ : ପାକିସ୍ତାନ ଉପରେ ଭାରତ କରିପାରେ ବଡ଼ ଷ୍ଟ୍ରାଇକ୍‌ । ୪୮ଘଣ୍ଟା ମଧ୍ୟରେ ପାକିସ୍ତାନରେ ଭାରତ କରିପାରେ ବଡ଼ ଅପରେସନ୍‌ । ସୂଚନା ଅନୁସାରେ, ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନା କରିପାରେ ଅପରେସନ୍‌ । ଗଣିଗଣି ଆତଙ୍କବାଦୀଙ୍କୁ ମାରିବ ଭାରତ । ଆଇଏନଏସ୍‌ ବିକ୍ରାନ୍ତ ବର୍ତ୍ତମାନ ସମୟରେ ସମୁଦ୍ରରେ ରହିଛି । କରାଚୀ ବନ୍ଦରକୁ ମନିଟରିଂ କରୁଛି ବିକ୍ରାନ୍ତ । ଫାଇଟର ଏୟାରକ୍ରାଫ୍ଟ ମିଗ୍‌-୨୯ ଜମ୍ମୁ ଆକାଶରେ ପଇଁତରା ମାରୁଛି । 

Advertisment

ନୌସେନା ସ୍ପଷ୍ଟ କରିଛି, କୌଣସି ଆକ୍ରମଣ ପାଇଁ ପ୍ରସ୍ତୁତ ଅଛି ୩ଟି ସେନା ।  ସିଧା ସଙ୍କେତ ଦେଉଛି ପାକିସ୍ତାନରେ ଲୁଚିରହିଥିବା ଆତଙ୍କୀଙ୍କୁ ଯେଉଁଠି ଥିଲେ ବି ଆଉ ରକ୍ଷା ନାହିଁ । ବାହାସ୍ଫୋଟ ମାରୁଥିବା ପାକ୍‌ ନେତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବ ନିଶ୍ଚିତ, ଭାରତ ଆଉ ଛାଡ଼ିବନି ଘରେ ପଶିବ ଆଉ ଅପରେସନ୍‌ ଆରମ୍ଭ କରିବ । ଜମ୍ମୁ ଓ କଶ୍ମୀରର ପହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ୨୬ ଜଣଙ୍କ ମୃତ୍ୟୁ ପରେ ଭାରତୀୟ ସେନା ପାକିସ୍ତାନକୁ ୪୮ ଘଣ୍ଟାର ଅଲ୍ଟିମେଟମ ଜାରି କରିଛି ।

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ କିମ୍ବା ଗୁରୁତର ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି । ଭାରତ ଅଭିଯୋଗ କରିଛି ପହଲଗାମ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ଥିଲା । ସେନା ସୀମାନ୍ତରେ ଉଚ୍ଚ ସ୍ତରୀୟ ସତର୍କତା ଜାରି କରିଛି ଏବଂ ଲାଇନ୍ ଅଫ୍ କଣ୍ଟ୍ରୋଲ ନିକଟରେ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି । ଏକ୍ସ ପୋଷ୍ଟ ଅନୁଯାୟୀ, ଭାରତୀୟ ବାୟୁସେନା ମଧ୍ୟ ଯୁଦ୍ଧବିମାନ ଓ ଡ୍ରୋନ୍ ସହିତ ପ୍ରସ୍ତୁତ ରହିଛି । ଅନ୍ୟପଟେ ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ଛାନିଆ ପସିଛି ଆତଙ୍କୀସଙ୍ଗଠନ ଟିଆରଏଫରେ । ଯେଉଁ ଟିଆରଏଫ ପହଲଗାମ ଆକ୍ରମଣ କରିଛି ବୋଲି କହିଥିଲା ଏବେ ୟୁ-ଟର୍ଣ୍ଣ ମାରିଛି । 

୨୦୨୩ ମସିହାରେ ଭାରତ ସରକାର ଟିଆରଏଫକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲେ । ପହଲଗାମ ଆକ୍ରମଣ ପରେ ଟିଆରଏଫ ପକ୍ଷରୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଡିଜିଟାଲ ପ୍ଲାଟଫର୍ମରେ ଯେଉଁ ପୋଷ୍ଟ କରାଯାଇଥିଲା ତାକୁ ଅନଧିକୃତ ବୋଲି ଦର୍ଶାଇଛି । ଏହାକୁ ସାଇବର ଆଟାକର ରୂପ ଦେଇ ଖସିଯିବାକୁ ଚେଷ୍ଟା କରିଛି ଟିଆରଏଫ । କେବଳ ସେତିକି ନୁହେଁ ଏହି ସାଇବର ଆଟାକ ପଛରେ ଭାରତୀୟ ସୁରକ୍ଷା ଏଜେନ୍ସିର ହାତ ଥିବା କହିଛି ଟିଆରଏଫ ।