କନକ ବ୍ୟୁରୋ: ଭାରତ ପରେ ଚୀନ ସହ ଆମେରିକାର ବଢୁଛି ଟାରିଫ ବିବାଦ । ଗତକାଲି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୫୦ରୁ ୧୦୦ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିଲେ । ଯାହାର ଜବାବ ରଖିଛି ବେଜିଂ । ଆମେରିକା ରାଷ୍ଟ୍ରପତିଙ୍କ ଶୁଳ୍କ ନିଷ୍ପତ୍ତି ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶକୁ ପ୍ରଭାବିତ କରିଛି । ରୁଷରୁ ତେଲ କିଣିବା ଯୋଗୁଁ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି ।
ବର୍ତ୍ତମାନ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ନାଟୋ ଦେଶଗୁଡ଼ିକୁ ରୁଷ ତେଲ କିଣିବା ବନ୍ଦ କରିବାକୁ ଏବଂ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ କହିବା ସହ ରୁଷ ଉପରେ ବଡ଼ କଟକଣା ଲଗାଇବାକୁ ଅନୁରୋଧ କରିଛନ୍ତି । କେବଳ ଏତିକି ନୁହେଁ, ସେ ନାଟୋ ରାଷ୍ଟ୍ରଗୁଡ଼ିକୁ ଚୀନ୍ ଉପରେ ୫୦ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ମଧ୍ୟ କହିଛନ୍ତି । ଟ୍ରମ୍ପଙ୍କ ଏହି ବୟାନ ଉପରେ ଚୀନ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚୀନ୍ ବୈଦେଶିକ ମନ୍ତ୍ରୀ ଟ୍ରମ୍ପଙ୍କୁ ଉତ୍ତର ଦେଇଛନ୍ତି ।
ଆମେରିକାକୁ ଜବାବ ଦେଇ ଚୀନ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ‘ଯୁଦ୍ଧ ଚାହେନି ବେଜିଂ । ଚୀନ୍ କେବେ ଯୁଦ୍ଧରେ ଅଂଶଗ୍ରହଣ କରେ ନାହିଁ ବରଂ ଶାନ୍ତି ଆଲୋଚନା ଚାହେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ରାଜନୈତିକ ସମାଧାନ ହେବା ଉଚିତ । ଚୀନ୍ ଏବଂ ୟୁରୋପ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ବନ୍ଧୁ ହେବା ଆବଶ୍ୟକ । ପରସ୍ପରର ମୁକାବିଲା କରିବା ଅପେକ୍ଷା ସହଯୋଗ କରିବା ଉଚିତ । ସବୁଠାରୁ ବଡ଼ ପରିବର୍ତ୍ତନ ଭିତରେ ବି ସଠିକ୍ ନିଷ୍ପତ୍ତି ନେବା ଦରକାର । ଏହା ଜନସାଧାରଣଙ୍କ ପ୍ରତି ଉଭୟ ପକ୍ଷର ଦାୟିତ୍ୱକୁ ପ୍ରତିଫଳିତ କରେ ।’