କନକ ବ୍ୟୁରୋ: ଖେଳାଳି ସିଏ ଯିଏ ଯେକୌଣସି ପରିସ୍ଥିତିରେ ବି ନିଜ ଦାୟିତ୍ୱକୁ ଭୁଲିନଥାଏ । ସେମିତି ଏକ ଘଟଣା ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି । ଯେଉଁଠି ଶ୍ରୀଲଙ୍କା ଖେଳାଳି ଦୁନିଥ ଓ୍ୱେଲାଲଗେ ନିଜ ବାପାଙ୍କ ଦେହାନ୍ତ ଖବର ପାଇ ୧୮ ତାରିଖରେ ଘରକୁ ଚାଲିଯାଇଥିଲେ ଆଉ ୨୦ ତାରିଖରେ ପୁଣି ମ୍ୟାଚରେ ଯୋଗ ଦେଇଥିଲେ । ଦୁନିଥଙ୍କ ଏହି କାମ ତାଙ୍କ ଖେଳୁଆଡ଼ ମନୋଭାବକୁ ଦର୍ଶାଉଛି । ଯାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । 

Advertisment

ୟୁଏଇରେ ଚାଲିଥାଏ ଏସିଆ କପ୍ । ମ୍ୟାଚ ଖେଳୁଥାଆନ୍ତି ଆଫଗାନିସ୍ତାନ-ଶ୍ରୀଲଙ୍କା । ହେଲେ ମ୍ୟାଚ ଅଧାରୁ ଏମିତି ଏକ ଖବର ଆସିଲା ଯାହା ଶ୍ରୀଲଙ୍କା ଖେଳାଳି ଡିମୁଥ ଓ୍ୱେଲାଲଗେଙ୍କ ପାଇଁ ଥିଲା ବେଶ ଦୁଃଖ ଦାୟକ । ଖବର ଥିଲା ଓ୍ୱେଲାଲଗେଙ୍କ ବାପା ଆଉ ଏ ଦୁନିଆରେ ନାହାନ୍ତି । ଖବର ପାଇବା ପରେ ଓ୍ୱେଲାଲଗେ ପାଦ ତଳୁ ସତେ ଯେମିତି ମାଟି ଖସିଯାଇଥିଲା । ମ୍ୟାଚ ଅଧାରୁ ସଙ୍ଗେ ସଙ୍ଗେ ସେ ଶ୍ରୀଲଙ୍କା ଫେରିଯାଇଥିଲେ । ଆଉ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । 

ଦୁନିଥ ଓ୍ୱେଲାଲଗେଙ୍କ ପରିବାର ପାଇଁ ଏ ସମୟ ବହୁତ ଦୁଃଖ ଦାୟକ ଥିଲା । ପରିବାରକୁ ତାଙ୍କର ଆବଶ୍ୟକତା ବି ରହିଥିଲା । ହେଲେ ସେ ସବୁକୁ ପଛରେ ପକାଇ ଆଗ ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେଇଥିଲେ । ଆଉ ୨୦ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ପୁଣି ଯୋଗ ଦେଇଥିଲେ । ଆଉ ଦେଖାଇଦେଇଥିଲେ ମାତ୍ର ୨୨ ବର୍ଷ ବୟସରେ ଖେଳ ପ୍ରତି ଥିବା ତାଙ୍କ ସମର୍ପଣଭାବକୁ । 

ଦୁନିଥ ଏସିଆ କପରେ ନିଜର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲେ । ଆଉ ସେହି ମ୍ୟାଚରେ ସେ ୪ ଓଭରରେ ୪୯ ରନ ଦେଇ ଗୋଟିଏ ଓ୍ୱିକେଟ ନେଇଥିଲେ । ହେଲେ ବାପାଙ୍କ ଅନ୍ତିମ ସଂସ୍କାର କରି ସେ ଯେତେବେଳେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ ତାଙ୍କ ଭିତରେ ସେ ଲୟ ଦେଖିବାକୁ ମିଳିନଥିଲା । ଏହି ମ୍ୟାଚରେ ସେ ୪ ଓଭର ବୋଲିଂ କରି ୩୬ ରନ ଦେଇଥିଲେ, ହେଲେ ଗୋଟିଏ ବି ଓ୍ୱିକେଟ ପାଇନଥିଲେ । 

ଦୁନିଥ ୩୧ଟି ଦିନିକିଆ ମ୍ୟାଚ ଖେଳି ୩୯ଟି ଓ୍ୱିକେଟ ନେଇଛନ୍ତି । ସେହିପରି ୬ଟି ଟି-୨୦ ମ୍ୟାଚ ଖେଳି ୭ ଓ୍ୱିକେଟ ନେଇଛନ୍ତି । ବର୍ତ୍ତମାନ ୨୨ ବର୍ଷୀୟ ଖେଳାଳିଙ୍କ ଏହି ଖେଳ ପ୍ରତି ଥିବା ସମର୍ପଣ ଭାବ ପାଇଁ ବେଶ ପ୍ରଶସଂଶା କରାଯାଉଛି ।