କନକ ବ୍ୟୁରୋ : ମାଓବାଦ ଉପରେ କଠୋର ପ୍ରହାର ଜାରି ରହିଛି । ସୁରକ୍ଷା କର୍ମୀଙ୍କ ଅପରେସନରେ ଘାଇଲା ହୋଇଛି ମାଓ ସଙ୍ଗଠନ । ସଙ୍ଗଠନ ଦୁର୍ବଳ ହେଉଥିବାରୁ ଶାନ୍ତିବାର୍ତ୍ତୀ ଲାଗି ପ୍ରସ୍ତାବ ଦେଇ ତୃତୀୟ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ଲାଲ ବାହୀନି । ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ରୀୟ କମିଟି ଶାନ୍ତି ବାର୍ତ୍ତା ପ୍ରସ୍ତାବ ଦେଇ ନୂଆ କ୍ୟାମ୍ପ ସ୍ଥାପନ ବନ୍ଦ, ଜଙ୍ଗଲ ଭିତରେ ଅପରେସନ ବନ୍ଦ କରିବା ଦାବି ରଖି ଥିଲେ । ତେବେ କେନ୍ଦ୍ର ସରକାର ଧ୍ୟାନ ନ ଦେବାରୁ ଏବେ ବିନା ସର୍ତ୍ତରେ ଶାନ୍ତି ବାର୍ତ୍ତା ଲାଗି ପ୍ରସ୍ତାବ ଦେଇଛି ମାଓବାଦୀଙ୍କ ଉତ୍ତର-ପଶ୍ଚିମ ସବ ଜୋନାଲ ବ୍ୟୁରୋ । ଏଥି ପାଇଁ ଉଭୟ ପଟରୁ ଏକ ମାସର ଯୁଦ୍ଧ ବିରତି ଘୋଷଣା କରି ଅନୁକୁଳ ପରିବେଶ ସୃଷ୍ଟି କରିବାକୁ ଅପିଲ କରିଛନ୍ତି ଉତ୍ତର-ପଶ୍ଚିମ ସବ ଜୋନାଲ ବ୍ୟୁରୋର ମୁଖପାତ୍ର ।
ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଲାଗି ଅମିତ ଶାହ ଟାର୍ଗେଟ ଦେଇଛନ୍ତି । ନିକଟରେ ଅମିତ ଶାହ ଛତିଶଗଡ ଦାନ୍ତେୱାଡା ଗସ୍ତ କରି ମାଓବାଦୀଙ୍କ ଶାନ୍ତି ବାର୍ତ୍ତା ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଗୁରୁବାର ସିଆରପିଏଫ୍ ପ୍ରତିଷ୍ଠା ଦିବସରେ ଅମିତ ଶାହ ପୁଣି ମାଓବାଦୀକୁ ନେଇ କଡା ଆଭିମୁଖ୍ୟ ସ୍ପଷ୍ଟ କରି ଥିବାରୁ ମାଓବାଦୀଙ୍କ ଯୁଦ୍ଧ ବିରତି ଅପିଲ କେତେ ଗ୍ରହଣୀୟ ହେବ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।