କନକବ୍ୟୁରୋ: ରକ୍ତମୁଖା ଇସ୍ରାଏଲ...ହମାସ, ହିଜବୁଲ୍ଲା ପରେ ଏବେ ଟାର୍ଗେଟରେ ୟେମେନ ସମର୍ଥିତ ହୁତୀ ଆତଙ୍କୀ ସଂଗଠନ। ରବିବାର ଆଇଡିଏଫ ପକ୍ଷରୁ ୟେମେନରେ ରହିଥିବା ହୁତୀ ଆତଙ୍କୀ ସଂଗଠନର ବିଭିନ୍ନ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏନେଇ ଘୋଷଣା କରିଛନ୍ତି ଯେ ରବିବାର ଦିନ ୟେମେନର ହୁତି ଟାର୍ଗେଟରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି ।
ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ହୁତୀ ଆତଙ୍କୀଙ୍କ ଯୁଦ୍ଧ ବିମାନ ସମେତ ପାୱାର ପ୍ଲାଣ୍ଟ ଏବଂ ୟେମେନର ରସ ଇସା ଏବଂ ହୋଡିଡାହ ସମୁଦ୍ର ବନ୍ଦର ଉପରେ ମଧ୍ୟ ଆକ୍ରମଣ କରିଛି । ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେପଟେ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ମଧ୍ୟ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା ।
ଏସବୁ ମଧ୍ୟ ଲେବାନନ ଇସ୍ରାଏଲ ସହ ଅସ୍ତ୍ରବିରତି ପାଇଁ କୁଟନୈତିକ ସ୍ତରରେ ପ୍ରୟାସ ଆରମ୍ଭ କରିଛି। ଲେବାନନର ସୂଚନା ମନ୍ତ୍ରୀ ଜିଆଦ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଲେବାନନ୍ ସରକାର ଅସ୍ତ୍ରବିରତି ପାଇଁ ରାଜି ଅଛନ୍ତି । ଏହା ଉପରେ ବିଚାର କରାଯିବା ଉଚିତ୍ । ସେପଟେ ନିଜ ଜିଦରେ ଅଟଳ ରହିଛି ଇସ୍ରାଏଲ । ଆତଙ୍କୀଙ୍କ ସମୂଳେ ବିନାଶ ନହେବା ଯାଏ ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି ଇସ୍ରାଏଲ ।
ଗତ ଦୁଇ ସପ୍ତାହ ମଧ୍ୟରେ ଲେବାନନରେ ଇସ୍ରାଏଲର ଆକ୍ରମଣ ଜୋରଦାର ହୋଇଛି। ଏହି ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଅନେକ ଦେଶ ଛାଡ଼ି ପଳାୟନ କରୁଛନ୍ତି।