କନକ ବ୍ୟୁରୋ :  ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ୧୬ଟି ନୂଆ ଏନଏସି ଓ ୭ଟି ପୌର ପରିଷଦ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜରରେ ଜୟପୁର। ରାଜା ରାଜୁଡ଼ା ଅମଳର ଜୟପୁରରେ ବଦଳି ଯାଇଛି ସବୁକିଛି । ଯାହା ବଦଳିନି ତାହା ସହରର ଚିତ୍ର। ମହାନଗର ହେଲେ ଅଲଗା ରୂପ ପାଇବ ଜୟପୁର। ୧୯୭୧ରୁ ଆଜି ପର୍ଯ୍ୟନ୍ତ  ଜୟପୁର ପୌରପାଳିକା ଦାୟିତ୍ୱରେ ଥିବା କାଉନସିଲର ଓ ଅଧ୍ୟକ୍ଷ, ଉପାଧ୍ୟକ୍ଷ ମିଳିତ ଭାବେ ମହାନଗର ଦାବିକୁ ଜୋରଦାର କରିଛନ୍ତି । ଅତିଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ ବୋଲି କହିଛନ୍ତି ।

Advertisment

ଜୟପୁର ସ୍ଥିତ ଆଞ୍ଚଳିକ ଉନ୍ନୟନ ସଂସ୍ଥା ବା କ୍ରିଟ୍‌ ଦ୍ୱାରା ସହର ସମ୍ପ୍ରସାରଣକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ସରକାର ଏହାକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ଜୟପୁର ମହାନଗର ହେଲେ ଆଖପାଖର ୧୫ଟି ଗାଁ ସାମିଲ ହେବ । ବର୍ଦ୍ଧିତ ସହରରେ ସାମିଲ ହେବାକୁ ଥିବା ଗାଁର ଭିତ୍ତିଭୂମି ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ଅତିଶୀଘ୍ର ଟେଣ୍ଡର ଡକାଯିବ ବୋଲି କହିଛନ୍ତି କ୍ରିଟ୍‌ ଅଧିକାରୀ ।

ବୋରିଗୁମ୍ମାକୁ ଏନଏସି ମାନ୍ୟତା ମିଳିବା ପରେ ଜୟପୁର ମହାନଗର ପାଇଁ ସ୍ୱର ଶାଣିତ କରିଛନ୍ତି ନେତା ଜନତା ସମସ୍ତେ।