କନକ ବ୍ୟୁରୋ : ସରକାରୀ ଚାକିରି, ଆଇଆଇଟି, ଆଇଆଇଏମ୍ ଭଳି ଉଚ୍ଚ ଶିକ୍ଷଣୀୟ ସଂସ୍ଥାରେ ସଂରକ୍ଷଣ ମିଳିବା ପରେ ଏବେ ସୁପ୍ରିମକୋର୍ଟ ନିଯୁକ୍ତିରେ ପଛୁଆବର୍ଗଙ୍କୁ ସଂରକ୍ଷଣ ମିଳିବ । କୋର୍ଟ ଓବିସି ଓ ଅନ୍ୟ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି.ଆର ଗବଇଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅଣ ନ୍ୟାୟିକ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଅନୁସୂଚିତ ଜାତି, ଜନଜାତି, ଦିବ୍ୟାଙ୍ଗ, ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଲୋକଙ୍କୁ ଏହି ସଂରକ୍ଷଣରେ ସାମିଲ କରାଯିବ ।
ଏହି ପରିବର୍ତ୍ତନ ଫଳରେ ସୁପ୍ରିମକୋର୍ଟ ଅଫିସର୍ସ ଆଣ୍ଡ ସଭେଣ୍ଟସ (କଣ୍ଡିସନ ଅଫ ସର୍ଭିସ ଆଣ୍ଡ କଣ୍ଡକ୍ଟ) ନିୟମ ୧୯୬୧ ମୁତାବକ ସଂଶୋଧନ କରାଯାଇଛି । ଏହି ସଂଶୋଧନ ସମ୍ବିଧାନର ଅନୁଚ୍ଛେଦ ୧୪୬(୨) କ୍ରମରେ ମୁଖ୍ୟ ବିଚାରପତିଙ୍କ କ୍ଷମତାର ଉପଯୋଗ କରି କରାଯାଇଛି । ଜାରି ହୋଇଥିବା ଅଧିସୂଚନାରେ ସ୍ପଷ୍ଟ କରାଯାଇଛି କି, କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟ-ସମୟରେ ଜାରି ଆଦେଶ ଓ ଅଧିସୂଚନା ମୁତାବକ ଏହି ସଂରକ୍ଷଣର ଲାଭ ମିଳିବ ।
ଏହି ପରିବର୍ତ୍ତନକୁ ପ୍ରଶାସନିକ ପରିବର୍ତ୍ତନ ନୁହେଁ ବରଂ ନ୍ୟାୟିକ ବ୍ୟବସ୍ଥାର ଉପଯୋଗିତା ଆଧାରରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି । ୩୩ ବର୍ଷ ପରେ ସୁପ୍ରିମକୋର୍ଟ ଏଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି । ୧୯୯୨ ମସିହାରେ ଇନ୍ଦିରା ସାହାଣୀ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ସାମ୍ବିଧାନିକ ରୂପରେ ବୈଦ୍ଧ ବୋଲି କହିଥଲେ । ସୁପ୍ରିମକୋର୍ଟର ଆନ୍ତରିକ ନିଯୁକ୍ତିରେ ଏପର୍ଯ୍ୟନ୍ତ ଓବିସି ବର୍ଗକୁ ସଂରକ୍ଷଣ ଲାଭ ମିଳିନଥିଲା । ମନମୋହନ ସିଂଙ୍କ ସରକାର ସମୟରେ ମାନବ ସମ୍ବଳ ମନ୍ତ୍ରୀ ଅର୍ଜୁନ ସିଂ ଉଚ୍ଚଶିକ୍ଷା ସଂସ୍ଥାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାର ବାଟ ତିଆରି କରିଥିଲେ । ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ପି.ୱିଲସନ ଅନେକ ବର୍ଷ ହେବ ସୁପ୍ରିମକୋର୍ଟରେ ଓବିସି ସଂରକ୍ଷଣ ପାଇଁ ଦାବି ଉଠାଇ ଆସୁଥିଲେ ।