କନକ ବ୍ୟୁରୋ : ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାକୁ ଏ ଭିତରେ ବିତିଲାଣି ୨୦ ଦିନ, ଅଭିଯୁକ୍ତମାନେ ଏବେ ଜେଲରେ । ହେଲେ ଏବେ କେମିତି ରହିଛି ଗୋପାଳପୁର ବେଳାଭୂମି ? ପର୍ଯ୍ୟଟନ ଉପରେ କିପରି ପଡ଼ିଛି ଗଣଦୁଷ୍କର୍ମର ପ୍ରଭାବ ? ଶୂନଶାନ , ଖାଁ ଖାଁ ଗୋପାଳପୁର ବେଳାଭୂମି । ଯେଉଁଠି ଗତ ମାସ ୧୫ ତାରିଖରେ ଘଟିଥିଲା ଲୋମ ହର୍ଷଣକାରୀ ଗଣଦୁଷ୍କର୍ମ । ପୁରୁଷ ବନ୍ଧୁଙ୍କ ହାତଗୋଡ଼ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୧୦ ଜଣ ଯୌନ ରାକ୍ଷସ । ଏ ଘଟଣାକୁ ବିତିଛି ୨୦ ଦିନ, ଅଭିଯୁକ୍ତମାନେ ମଧ୍ୟ ଏବେ ଜେଲର ଚାରିକାନ୍ଥ ଭିତରେ । ଏବେ କେମିତି ଅଛି ଗୋପାଳପୁର ବେଳାଭୂମି, ସ୍ଥିତି ପରଖିବାକୁ ଗ୍ରାଉଣ୍ଡଜିରୋରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ସମୟ ରାତି ୮ଟା । ଘାଇଁ ଘାଇଁ ବାଜୁଥିଲା ସାଇରନ୍ । ପୁଲିସ ପେଟ୍ରୋଲିଂ ଗାଡ଼ି ବେଳାଭୂମିରେ ମାରୁଥିଲା ପଇଁତରା , ରାତି ୮ଟା ପରେ ବେଳାଭୂମିରେ ରହିବାକୁ କାହାକୁ ଅନୁମତି ନାହିଁ । ଏ ମୁଣ୍ଡରୁ ସେ ମୁଣ୍ଡ ବୁଲି ପୁଲିସ ସମସ୍ତଙ୍କୁ ଘଉଡ଼ାଇ ଦେଉଥିଲା । ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସ ପାଇଁ ପ୍ରାଥମିକତା ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ।
ବଦନାମ ହୋଇଛି ବେଳାଭୂମି । ବୁଡିଯାଇଛି ବେପାର । ଗଣଦୁଷ୍କର୍ମ ଘଟଣା ପ୍ରଚାର ପରେ ଗୋପାଳପୁର ବେଳାଭୂମି ଶ୍ରୀହୀନ ଦିଶୁଛି । ବେଳାଭୂମି ସୁରକ୍ଷିତ ନୁହେଁ ଭାବି ଏଠାକୁ ଆସୁନାହାନ୍ତି ପର୍ଯ୍ୟଟକ । ଫଳରେ ହୋଟେଲ ଠାରୁ ଆରମ୍ଭ କରି ଛୋଟ ବଡ଼ ବ୍ୟବସାୟ ପ୍ରଭାବିତ ହୋଇଛି । ସଂଧ୍ୟା ଗଡ଼ି ରାତି ୮ଟା ବେଳକୁ ବେପାର ଜମିବା କଥା, ହେଲେ ଏହି ସମୟରେ ବେଳାଭୂମିକୁ ଖାଲି କରିଦେଉଛି ପୁଲିସ । ପେଡ଼ି ପୁଟୁଳା ବାନ୍ଧି ବାଧ୍ୟ ହୋଇ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ । ଯାହାକୁ ନେଇ ବ୍ୟବସାୟୀ ମାନେ ଏବେ ମୁଣ୍ଡରେ ହାତ ଦେଲେଣି । ଗତ ୧୫ ଦିନ ଭିତରେ ବେଳାଭୂମିକୁ ପର୍ଯ୍ୟଟକ ଆସିବା ପ୍ରାୟ ଅଧା କମି ଯାଇଛି । ଗଣଦୁଷ୍କର୍ମର ବଡ଼ ପ୍ରଭାବ ପଡ଼ିଛି ବେଳାଭୂମି ଉପରେ । ପୁଲିସ ପାଇଁ ସୁରକ୍ଷା ଯେତିକି ଚ୍ୟାଲେଞ୍ଜ, ପ୍ରଶାସନ ପାଇଁ ପର୍ଯ୍ୟଟକଙ୍କ ବିଶ୍ୱାସ ଫେରାଇ ଆଣିବା ମଧ୍ୟ ସେତିକି ଆହ୍ୱାନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/09/gopalpur-2025-07-09-21-04-42.jpg)