କନକ ବ୍ୟୁରୋ: ଗୋଟିଏ ପଟେ ଓମଫେଡ୍ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ବଢିଛି । ହେଲେ ଦୁଗ୍ଧ ଚାଷରେ ଏବେ ବି ଆମେ ନିଅଣ୍ଟିଆ ସ୍ଥିତିରେ ରହିଛୁ । ଅଣ୍ଡା, ମାଛ ଓ ଆଳୁ ପରି ଆମେ ଦୈନିକ କ୍ଷୀର ଆବଶ୍ୟକତା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛୁ । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ, କ୍ଷୀର ଉତ୍ପାଦନରେ କେବେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା?
ଆଜି ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ-୨୦୨୫ ପାଳନ ହୋଇଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅଣ୍ଡା, ମାଛ, ମାଂସ ଓ ଆଳୁ ପରି କ୍ଷୀର ଉତ୍ପାଦନରେ ମଧ୍ୟ ବହୁ ପଛରେ ପଡ଼ିଛି ଓଡ଼ିଶା । ନଜର ପକାନ୍ତୁ ଏହି ତଥ୍ୟ ଉପରେ...
- କ୍ଷୀର ଉତ୍ପାଦନରେ ଓଡ଼ିଶା ପଛୁଆ
- ପ୍ରତିଦିନ ଆବଶ୍ୟକ ହେଉଛି ୧୧୦ ଲକ୍ଷ ଲିଟର କ୍ଷୀର
- ଉପଲବ୍ଧ ହେଉଛି ମାତ୍ର ୬୬ ଲକ୍ଷ ଲିଟର କ୍ଷୀର
- ଅର୍ଥାତ ପ୍ରତିଦିନ ୪୦%ରୁ ଅଧିକ ନିଅଣ୍ଟିଆ ସ୍ଥିତି
ଗୋରୁ-ଗାଈଙ୍କ ପାଇଁ ଚାରଣଭୂଇଁର ଅଭାବ, ଗୋ-ଖାଦ୍ୟର ମୂଲ୍ୟବୃଦ୍ଧି ଓ ଅନ୍ୟାନ୍ୟ କାରଣ ପାଇଁ ରାଜ୍ୟରେ ଦୁଗ୍ଧ ଚାଷ ଏକପ୍ରକାର ସଂକଟ ଭତରକୁ ଚାଲିଯାଇଛି । ଗୋ-ପାଳନରେ ସମସ୍ୟା କାରଣରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି । ଏବେ ରାଜ୍ୟରେ ପ୍ରାୟ ୧୫ଲକ୍ଷ ଦୁଗ୍ଧ ଚାଷୀ ଥିବା ଜଣାପଡ଼ିଛି । ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟା ଦୂର ନହେଲେ ଏ ପରିସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି ।
ଆଶ୍ୱସ୍ତିର କଥା ହେଉଛି ରାଜ୍ୟରେ ଦୁଗ୍ଧ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଜେପି ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି ।
- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରୁ ଲାଭ
- ୨୦୨୪-୨୫ରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦନ ହୋଇଛି
- ଆଗାମୀ ୫ ବର୍ଷରେ ଏହାକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି
- ଗତ ଆର୍ଥିକ ବର୍ଷରେ ୩ ଲକ୍ଷ ହିତାଧିକାରୀଙ୍କୁ ୭୧ କୋଟି ଟଙ୍କା ମିଳିଛି
- ଆଗକୁ ଗୋ-ପାଳନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ
ପୂର୍ବ ସରକାର କାଳିଆ ଯୋଜନାରେ ଗୋରୁ ଗୁହାଳ ନିର୍ମାଣ ପାଇଁ ଦୁଗ୍ଧ ଚାଷୀଙ୍କୁ ସହାୟତା ଦେଉଥିଲେ । ହେଲେ ଗୋ-ଖାଦ୍ୟ ମୂଲ୍ୟବୃଦ୍ଧିରେ ନିୟନ୍ତ୍ରଣ, ଅଧିକ ଚାରଣଭୂଇଁ ପ୍ରସ୍ତୁତି କିମ୍ବା ଉନ୍ନତ ଦୁଧିଆଳୀ ଗାଈ ପ୍ରଜନନ ଓ ଚିକିତ୍ସା ସେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ପଛରେ ପଡ଼ିଯାଇଥିବା କୁହାଯାଉଛି ।