କନକ ବ୍ୟୁରୋ : ଝାଡ଼ାବାନ୍ତିରେ ଜୀବନ ଯିବା ଓ ଶହଶହ ଲୋକ ଆକ୍ରାନ୍ତ ହେବା ପରେ ଚର୍ଚ୍ଚାକୁ ଆସିଥିଲା ପୁରୀ ଜିଲ୍ଲାର କଣାସ ବ୍ଲକ । ଦୟା ନଦୀର ଜଳ ବ୍ୟବହାର କରି ଲୋକ ଆକ୍ରାନ୍ତ ହେଉଥିବା ଜାଣିବା ପରେ ଚିନ୍ତା ପ୍ରକ୍ରଟ କରିଛନ୍ତି ରାଜ୍ୟ ସରକାର । ଗୋପୀନାଥପୁର, ଗଡ଼ିଶାଗୋଦା, ଜାମଳଗଦା ପଞ୍ଚାୟତର ୨୦ରୁ ଅଧିକ ଗାଁରେ ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଇଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରତିଦିନ ୪୦ ହଜାର ଲିଟର ପାଣି ବଣ୍ଟା ଯାଉଛି । ହଇଜା ସ୍ଥିତି ଉପୁଜିବା ପରେ ପ୍ରଶାସନ ପକ୍ଷରୁ ପାଣି ଦିଆଯାଉଛି। ସ୍ଥିତି ସ୍ୱାଭାବିକ ହେବା ପରେ ଏହି ପ୍ରକ୍ରିୟା ଚାଲିବ ନା ବନ୍ଦ ହୋଇଯିବ? ତାକୁ ନେଇ ଦ୍ୱନ୍ଦ୍ୱରେ ।

Advertisment

ବିଷାକ୍ତ ଦୟା ନଦୀକୁ ନେଇ ସ୍ଥାନୀୟ ଅଂଚଳରେ ଭାଳେଣୀ ପଡ଼ିଛି। ଦୟା ପାଣିକୁ ବ୍ୟବହାର ନକରିବା ପାଇଁ ପ୍ରଶାସନ କହିଛି। ଟ୍ୟାଙ୍କର ପାଣିରେ ସିନା ଶୋଷ ମେଂଟୁଛି, ଅନ୍ୟ ସବୁ କାର୍ଯ୍ୟ କେଉଁଠି କେମିତି କରିବୁ? ବୋଲି ପ୍ରଶ୍ନ କରିଛନ୍ତି ଗାଁ ମହିଳା। କଣାସରେ ହେଉଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ପାଣି ଯୋଗାଇବାକୁ ଦାବି ହୋଇଛି। ଜିଲ୍ଲାପାଳ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିବା ସହ ମେଗା ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।  

କଣାସ ହଇଜାକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ହୋଇଛି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘନଘନ ଗ୍ରସ୍ତ କରି କାରଣ ଖୋଜିଛନ୍ତି । ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଏହାରି ଭିତରେ ଜିଲ୍ଲା ପ୍ରଶାସନ କହିଛି ଖୁବ୍‌ଶୀଘ୍ର ପ୍ରଭାବିତ ଗ୍ରାମବାସୀ ପାଇବେ ପାଇପ୍ ପାଣି। ତେବେ କହିବା ଓ କରିବା ଭିତରେ କେତେ ଫରକ ତାହା ଆଗାମୀ ଦିନରେ ଜଣାପଡ଼ିବ।