କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବାକୁ ଘୋଷଣା କରିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଚର୍ଚ୍ଚା ହେଉଥିଲା, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟରେ ଆମ ଆଦମୀ ପାର୍ଟି, ଏକ ସହଯୋଗୀ ଦଳ ହୋଇଥିବାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇପାରେ। ହେଲେ ସମସ୍ତ ଆଲୋଚନାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ । ଅର୍ଥାତ ଦିଲ୍ଲୀର ସମସ୍ତ ୭୦ ଆସନରେ ପ୍ରାର୍ଥୀ ଦେବ ଆପ୍‌ । ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସ ସହ ହେବନାହିଁ ଆସନ ବୁଝାମଣା । ଏଯାଏଁ ଘୋଷଣା ହୋଇନାହିଁ ନିର୍ବାଚନ ତାରିଖ । ୧୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ଆମ୍‌ ଆଦ୍‌ମୀ ପାର୍ଟି। 

Advertisment

ହରିୟାଣାରେ କଂଗ୍ରେସ ସହ ଆସନ ବୁଝାମଣା କରି ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲା ଆମ ଆଦମୀ ପାର୍ଟି । ହେଲେ ଏଥିରେ ରାଜି ହୋଇନଥିଲେ ରାହୁଲ ଗାନ୍ଧୀ । ଆଉ ସମାନ ଢଙ୍ଗରେ ଦିଲ୍ଲୀରେ କଂଗ୍ରେସକୁ ଆସନ ଛାଡ଼ିବା ପାଇଁ ରାଜି ହୋଇନାହାନ୍ତି କେଜ୍ରିୱାଲ । ଶନିବାର ସାମ୍ୱାଦିକ ସମ୍ମିଳନୀରେ ଏନେଇ ଆପ୍‌ ମୁଖ୍ୟଙ୍କ ସଂକେତ ପରେ କଂଗ୍ରେସ ମଧ୍ୟ ସମସ୍ତ ୭୦ ଆସନରେ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା କହିଛି । 

ବଡ଼କଥା ହେଉଛି ୟୁପିଏ-ଟୁ ସରକାରକୁ ବିରୋଧ କରି ହୋଇଥିବା ଆନ୍ନା ଆନ୍ଦୋଳନରୁ ଆପର ସୃଷ୍ଟି। ୨୦୧୩ରେ ଦିଲ୍ଲୀରେ କଂଗ୍ରେସର ୧୫ବର୍ଷର ଶାସନରେ ପୂର୍ଣ୍ଣଛେଦ ପକାଇଥିଲେ କେଜ୍ରିୱାଲ । ଏହାପରଠାରୁ ଦିଲ୍ଲୀକୁ କବଜାରେ ରଖିଛି ଆପ୍‌ । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଆପ୍‌ ମୁଖ୍ୟ ଗିରଫ ହୋଇ ଜେଲ ଯିବା ପରେ କଂଗ୍ରେସର ଅଧିକ ନିକଟତର ହୋଇଛି ଦଳ । କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀ ହୋଇଥିଲେ ମଧ୍ୟ, ନିଜ ଗଡ଼ରେ କଂଗ୍ରେସକୁ ଗୋଡ଼ ଜମାଇବାର ସୁଯୋଗ ଦେବାକୁ ପ୍ରସ୍ତୁତ ନୁହେଁ