କନକବ୍ୟୁରୋ : ଧୂଆଁମୟ ରାଜଧାନୀ ଭୁବନେଶ୍ବର । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ । ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନ ଦୀପାବଳି ପାଳନ ପରେ ରାଜଧାନୀର ଅବସ୍ଥା ବେହାଲ ହୋଇପଡିଛି । ରାସ୍ତା ଉପରେ ୫୦ ମିଟର ଆଗକୁ ମଧ୍ୟ ଦିଶୁନି । ମନଇଚ୍ଛା ବାଣ ଫୁଟାଇବା ହେତୁ ଏଭଳି ସ୍ଥିତି ଉପୁଜିଛି। ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣରେ ଧନ୍ଦି ହୋଇଛନ୍ତି ରାଜଧାନୀବାସୀ । ଗାଡି ଚଳାଚଳ କଷ୍ଟକର ହୋଇପଡିଛି ।
ରାସ୍ତାରେ ୧୦ ମିଟର ଆଗକୁ ଦିଶୁନଥିବାରୁ ଦୁର୍ଘଟଣାର ଆଶଙ୍କା ବଢିଛି। ଅନ୍ୟପଟେ ବାଣ ଫୁଟାଇବାକୁ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଏହାକୁ ଫୁ କରି ଉଡାଇଦେଇଛନ୍ତି ଭୁବନେଶ୍ବରବାସିନ୍ଦା । ନିର୍ଦ୍ଧାରିତ ସମୟ ପରେ ମଧ୍ୟ ମନଇଚ୍ଛା ଫୁଟାଇଛନ୍ତି ବାଣ ।
୨ ଦିନିଆ ଦୀପାବଳି ପାଳନ ପରେ ଅତି ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଛି । କିଛି ଦିଶୁନାହିଁ । ଚାରିଆଡେ କୁହୁଡି । ୫୦ ମିଟର ଆଗକୁ ବି ଦେଖାଯାଉନି ରାସ୍ତା। ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତକାଲି ସଂଧ୍ୟାରୁ କୁହୁଡି ଆରମ୍ଭ ହୋଇଛି ।
ବିଳମ୍ବିତ ରାତିରେ କୁହୁଡି ବଢିବା ସହ ସକାଳେ କୁହୁଡିର ମାତ୍ରା ବୃଦ୍ଧି ପାଉଛି। ଯାନବାହାନ ଚଳାଚଳରେ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି ।