କନକ ବ୍ୟୁରୋ : ଗରିବ ହେଲେ ମଲ । ଏ କଥା ଯିଏ କହିଛି ସେ ଠିକ୍ କହିଛି । ଅଭାବ ସାଙ୍ଗକୁ ଅବହେଳା ଜୀବନକୁ ଛନ୍ଦି ଦେଇଛି । ଶକ୍ତିହୀନ କରି ଦେଇଛି ଅର୍ଥାଭାବ । ଉଜୁଡା ଘରକୁ ସଜାଡ଼ିବା ଅସମ୍ଭବ ହେବାରୁ ଗାଁ ପୋଖରୀ ତୁଠରେ ବିତୁଛି ସମୟ । ଲୁଗା ବଦଳାଇବା ଘରେ ସୋବୀଙ୍କ ସଂସାର ।
ଚାରିଆଡ଼େ ବହଳ ଅନ୍ଧାର । ଡିବି ଜଳୁଥାଏ । ଶୀତୁଆ ରାତି । ରାସ୍ତାକଡ଼ ପୋଖରୀ ତୁଠର ଏକ ଛୋଟିଆ କୁଡ଼ିଆ । ଆଉ ଏକ ଛୋଟିଆ କୁଡ଼ିଆରେ ଛେଳି ଆଉ ମଣିଷ ଉଭୟ । ଆଜି ନୁହେଁ, ୬ ବର୍ଷ ହେଲାଣି ଏମିତି କଟୁଛି ଏମାନଙ୍କ ଜୀବନ । ବନ୍ୟା-ବାତ୍ୟା, ବର୍ଷା-ଶୀତ କାକର ସବୁ ଦିନ ସବୁ ରାତି ସେମାନଙ୍କ ପାଇଁ ସମାନ । ଏଇ ବାଟ ଦେଇ ସମସ୍ତଙ୍କ ଯା'ଆସ । ହେଲେ କେବେ କାହାରି ବି ନଜର ପଡ଼ିନି ଏମାନଙ୍କ ଉପରେ ।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗଞ୍ଜେଇଗୋଡି ଗାଁର ଭିକାରୀ ସ୍ୱାଇଁ । ୨୦୧୯ ବାତ୍ୟା ଫନି ସେମାନଙ୍କୁ ବେଘର କରି ଦେଇଛି । ଝଡ଼ ମାଡ଼ରେ ଘର ଭାଙ୍ଗି ଯିବା ପରେ ସ୍ତ୍ରୀ ସୋବୀ ସ୍ୱାଇଁ ଓ ଭିନ୍ନକ୍ଷମ ପୁଅ ସହିତ ଏଇ କୁଡ଼ିଆ ଘର ହିଁ ପାଲଟିଛି ଏମାନଙ୍କ ଠିକଣା । ଏ ଦୁରବସ୍ଥା ସମ୍ପର୍କରେ ପ୍ରଶାସନ ଯେ ଜାଣିନାହିଁ ତା'ନୁହେଁ । ଭଙ୍ଗା ଘରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ଲକ ଅଧିକାରୀ, ତଥାପି ଏଯାଏଁ ସହାୟତା ମିଳିନାହିଁ ।
ଗୁହାରି କରିକରି ଥକିଗଲେଣି ଭିକାରୀ ଓ ସୋବୀ । କେବେ ଏହି ପରିବାର ଉପରେ ପ୍ରଶାସନର ନଜର ପଡ଼ିବ ଏବେ ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/03/Q6Mt0MbrLE7LTi2naI0f.jpg)