କନକ ବ୍ୟୁରୋ: ସଂସଦରେ ଆଗତ ପରେ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଯାଇଛି ଏକକ ନିର୍ବାଚନ ବିଲ। ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୧୯୮ ଭୋଟ। ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଆଗତ କରିଛନ୍ତି। ବିଲ ଆଗତ ପରେ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି। ଜେପିସିରେ ବିଲ ଉପରେ ବିସ୍ତୃତ ଆଲୋଚନା ହେବ। ତେବେ ଏକକ ନିର୍ବାଚନ ବିଲକୁ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି ବିରୋଧୀ।

Advertisment

ତେବେ ବିଲ ପାଇଁ ଲୋକସଭାରେ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଥମଥର ଲୋକସଭାରେ ଇଭିଏମ୍ ଦ୍ବାରା ଭୋଟିଂ ହୋଇଥିଲା। ଏଥିରେ ବିଲ ସପକ୍ଷରେ ୨୨୦ ଏବଂ ବିପକ୍ଷରେ ୧୪୯ ଭୋଟ୍‌ ପଡ଼ିଥିଲା। ମୋଟ ୩୬୯ ସଦସ୍ୟ ମତଦାନ କରିଥିଲେ। ଏହା ପରେ ବିରୋଧୀ ଆପତ୍ତି ଉଠାଇଥିଲେ। ବିରୋଧୀଙ୍କ ଆପତ୍ତି ପରେ ଗୃହମନ୍ତ୍ରୀ ଅମିତ ଶାହା ଚିଟ୍‌ ଦ୍ବାରା ଭୋଟିଂ ପାଇଁ ନିବେଦନ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସ୍ପଷ୍ଟ ଭାବରେ ଚିଟ୍ ମାଧ୍ୟମରେ ଭୋଟ୍ ଦେବାକୁ ଅପିଲ କରିଥିଲେ। ଏହାପରେ ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡିଥିଲା। ଗତ ସପ୍ତାହରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁପାରିସକୁ ଗ୍ରହଣ କରିଥିଲେ ସରକାର। ତେବେ ସରକାରଙ୍କ ତର୍କ ହେଲା, ଏହାଦ୍ବାରା ସମୟ ବଞ୍ଚିବ ଓ ବିକାଶ ଅଧିକ ହେବ।

ଭାରତରେ ଲୋକସଭା-ବିଧାନସଭା ନିର୍ବାଚନ

ମୋଟ୍‌ ନିର୍ବାଚନ - ୪୧୫

  1. ୧୯୫୧-୧୯୬୦ - ୨୫ଥର ନିର୍ବାଚନ
  2. ୧୯୬୧-୧୯୭୦ - ୪୬ଥର ନିର୍ବାଚନ
  3. ୧୯୭୧-୧୯୮୦ - ୭୧ଥର ନିର୍ବାଚନ
  4. ୧୯୮୧-୧୯୯୦ - ୫୯ଥର ନିର୍ବାଚନ
  5. ୧୯୯୧-୨୦୦୦ - ୫୯ଥର ନିର୍ବାଚନ
  6. ୨୦୦୧-୨୦୧୦ - ୬୨ଥର ନିର୍ବାଚନ
  7. ୨୦୧୧-୨୦୨୦ - ୬୩ଥର ନିର୍ବାଚନ
  8. ୨୦୨୧-୨୦୨୪ - ୩୦ଥର ନିର୍ବାଚନ

୧୦ ବର୍ଷରେ 'ଏକ ଦେଶ ଏକ ନିର୍ବାଚନ'

  1. ମେ,୨୦୧୪ - କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଏକ ଦେଶ ଏକ ନିର୍ବାଚନକୁ ନେଇ ଯୁକ୍ତି ରଖିଥିଲେ
  2. ଡିସେମ୍ବର,୨୦୧୫ - ଏକ ସଙ୍ଗେ ନିର୍ବାଚନ କଲେ କୋଟି କୋଟି ଟଙ୍କା ରାଜସ୍ବ ବଞ୍ଚିଯିବ ବୋଲି ଲ' କମିଶନ୍‌ଙ୍କ ବୟାନ
  3. ଜୁନ,୨୦୧୯ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଔପଚାରିକ ଭାବେ ସବୁ ରାଜନୈତିକ ଦଳ ସହ କଲେ ଆଲୋଚନା
  4. ନଭେମ୍ବର,୨୦୨୦ - ଏକକ ନିର୍ବାଚନ ଭାରତ ପାଇଁ ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ
  5. ସେପ୍ଟେମ୍ବର,୨୦୨୩ - ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନେଇ ଗଠିତ ହେଲା କମିଟି
  6. ମାର୍ଚ୍ଚ,୨୦୨୪ - କମିଟି ୧୮,୬୨୬ ପୃଷ୍ଠାର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହସ୍ତାନ୍ତର କଲେ
  7. ଡିସେମ୍ବର,୨୦୨୪ - କେନ୍ଦ୍ର କ୍ୟାବିନେଟ୍‌ରେ ପାସ୍‌ ହେଲା 'ଏକ ଦେଶ ଏକ ନିର୍ବାଚନ ବିଲ୍'